ରାଜ୍ୟରେ କାୟା ବିସ୍ତାର କରୁଛି କରୋନା । ୭୪ ପ୍ରତିଶତ ରୋଗୀ କେବଳ ୧୦ ଜିଲ୍ଲାରୁ ଚିହ୍ନଟ

171

କନକ ବ୍ୟୁରୋ : ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ପ୍ରତିଶତ ୧୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଥିରେ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ରହିଛି। ବଳକା ୨୦ଟି ଜିଲ୍ଲାରୁ ମାତ୍ର ୨୬ ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ୧୦ଟି ଜିଲ୍ଲାରେ ହଜାରରୁ ଅଧିକ ରୋଗୀ ରହିଥିବା ବେ‌ଳେ ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମରେ ସର୍ବାଧିକ ୧୨୦୮୦ଜଣ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ୫୫୩୧, କଟକ ୨୭୩୧, ସୁନ୍ଦରଗଡ଼ ୧୮୮୨, ଗଜପତି ୧୮୩୪, ଯାଜପୁର ୧୪୬୭, ବାଲେଶ୍ୱର ୧୧୭୬, ରାୟଗଡ଼ା ୧୧୭୩, ପୁରୀ ୧୦୫୯ ଓ କୋରାପୁଟରୁ ୧୦୪୭ଜଣ ରହିଛନ୍ତି। ଏକାଧିକ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହଜାର ନିକଟତର ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୯୯ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜ‌ାର ୭୧୭ରେ ପହଞ୍ଚିଛି। ଏହାସହିତ ଆଉ ୧୦ଜଣ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩୫‌ରେ ପହଞ୍ଚିଛି। ଏହାସହ ଅଣକରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୪୫କୁ ବୃଦ୍ଧି ପାଇଛି। ୨୨ଟି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ହୋଇଛି। ୧୦ ମୃତକଙ୍କ ମଧ୍ୟରେ ୫ଜଣ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଞ୍ଜାମ ଜିଲ୍ଲାର ୫୨ବର୍ଷର ପୁରୁଷ, ଭଦ୍ରକ ଜିଲ୍ଲାର ୫୩ବର୍ଷ ମହିଳା, ସୁନ୍ଦରଗଡ଼ର ୫୪ ବର୍ଷର ପୁରୁଷ, କନ୍ଧମାଳର ୬୧ବର୍ଷର ପୁରୁଷ ଓ କେନ୍ଦୁଝର ଜିଲ୍ଲାର ୫୨ବର୍ଷର ପୁରୁଷ ମଧୁମେହ ଓ ଉଚ୍ଚ ରକ୍ତଚାପର ଶିକାର ଥିଲେ। ନବରଙ୍ଗପୁର ଜିଲ୍ଲାର ୪୦ବର୍ଷର ପୁରୁଷ ଓ ଗଞ୍ଜାମ ଜିଲ୍ଲାର ୫୫ବର୍ଷର ପୁରୁଷ ଯକ୍ଷ୍ମାରେ ଆକ୍ରାନ୍ତ ଥାଇ କରୋନାରେ ପ୍ରାଣ ହରାଇଛନ୍ତି।

ତେବେ ସୁନ୍ଦରଗଡ଼ ୨୮ ବର୍ଷର ଯୁବକ, ଗଞ୍ଜାମର ୪୦ବର୍ଷର ପୁରୁଷ, ନୟାଗଡ଼ର ୩୯ବର୍ଷର ପୁରୁଷ କେବଳ ଭୂତାଣୁର ଶିକାର ହୋଇଛନ୍ତି। ଏହାସହ ଗଞ୍ଜାମ ଜିଲ୍ଲାର ୪୫ବର୍ଷର ମହିଳା ଗଲବ୍ଲାଡର୍‌ ଓ ଅନ୍ୟ ଜଟିଳ ରୋଗରେ ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅଣ କୋଭିଡ୍‌ ମୃତ୍ୟୁ ଭାବେ ଘୋଷଣା ହୋଇଛି।