ମହିଳା ଦିବସରେ ମହିଳାଙ୍କୁ ଉପହାର ଦେଲେ ସରକାର ! ଲଂଚ୍ କଲେ ସୁବିଧା ପ୍ୟାଡ଼, ଗୋଟିକର ମୂଲ୍ୟ ମାତ୍ର ୨.୫୦ ଟଙ୍କା

57

ସାରା ବିଶ୍ୱ ପାଳନ କରୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଦିବସକୁ ଭାରତୀୟ ସରକାର ଏକ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ମହିଳା ଦିବସ ଅବସରେ କେନ୍ଦ୍ର ସରକାର ମହିଳାମାନଙ୍କ ପାଇଁ ପରିବେଶ ଅନୁକୂଳ ସାନିଟାରି ପ୍ୟାଡ୍‌ ବଜାରକୁ ଛାଡ଼ିଛନ୍ତି । ଏହି ପ୍ୟାଡ୍‌ ଖଣ୍ଡକର ଦର ରହିଛି ଅଢ଼େଇ ଟଙ୍କା । ଏହା ଦେଶର ୫୮୬ ଜିଲ୍ଲାରେ ଉପଲବ୍ଧ ହେବ ।  ସରକାରଙ୍କ  ଜନ ଔଷଧୀ କେନ୍ଦ୍ର ଜରିଆରେ ଏହା ବିଭିନ୍ନ ଅଞ୍ଚଳରେ ପହଞ୍ଚିବ ।

ଉଲ୍ଳେଖଯୋଗ୍ୟ, ଗୋଟାଏ ଖଣ୍ଡ ପ୍ୟାଡ୍‌ର ଦର ସାଧାରଣତଃ ୮ ଟଙ୍କା ରହିଥିବା ବେଳେ ମାତ୍ର ଅଢେଇ ଟଙ୍କାରେ ପ୍ୟାଡ୍‌ ଉପଲବ୍ଧ ହେବା ଦ୍ୱାରା ଅନେକ ମହିଳା ଉପକୃତ ହେବେ । ପ୍ରଥମ ଥର ପାଇଁ ଦେଶରେ ପରିବେଶ ଅନୁକୂଳ ସାନିଟାରି ନାପ୍‌କିନ୍‌ ପ୍ରସ୍ତୁତ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ମତ ରଖିଛନ୍ତି । ସରକାର ବଜାରକୁ ଛାଡ଼ିଥିବା ଏହି ପ୍ୟାଡ୍‌ର ନାମ ହେଉଛି ‘ସୁବିଧା ପ୍ୟାଡ୍‌’ ।

ସୂଚନା ମୁତାବକ, ୨୦୧୫-୧୬ ମସିହାରେ ୧୫ରୁ ୨୪ ବର୍ଷ ମଧ୍ୟରେ ଥିବା ମହିଳାଙ୍କୁ ନେଇ ହୋଇଥିବା ସର୍ଭେରୁ ଜାଣିବାକୁ ମିଳିଛି ଯେ ୫୮ ପ୍ରତିଶତ ମହିଳା ଆଞ୍ଚଳିକ ବଜାରରେ ତିଆରି ହୋଇ ବିକ୍ରି ହେଉଥିବା ପ୍ୟାଡ୍‌ ବ୍ୟବହାର କରିଥାନ୍ତି । ସହରରେ ରହୁଥିବା ୭୮ ପ୍ରତିଶତ ମହିଳା ମାସିକଧର୍ମ ସମୟରେ ସୁରକ୍ଷିତ ନାପନ୍‌କିନ୍‌ ବ୍ୟବହାର କରିଥାନ୍ତି । ଏହି ‘ସୁବିଧା ପ୍ୟାଡ୍‌’ ମୁଖ୍ୟତ ଗ୍ରାମାଞ୍ଚଳ ମହିଳାଙ୍କର ଖୁବ୍‌ କାମରେ ଆସିବ ବୋଲି ଆଶା କରାଯାଉଛି ।