ଆଗ ଟଙ୍କା, ପରେ ବିଲ୍ ! କ୍ୟାମେରାରେ କଏଦ ସରକାରୀ କର୍ମଚାରୀଙ୍କ ଲାଞ୍ଚ କାରବାର ।

177

କନକ ବ୍ୟୁରୋ : ଆଗ ଗୋଟିଏ ହାତରେ ଟଙ୍କା ଦିଅ, ତାପରେ ବିଲ୍ ନିଅ । ଲାଞ୍ଚ ନଦେଲେ ବିଲ୍ କରିବେ ନାହିଁ ବୋଲି ରୋକ ଠୋକ ବାରଣ କରିଛନ୍ତି ମହିଳା କନିଷ୍ଠ ଯନ୍ତ୍ରୀ । ତେବେ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଲାଞ୍ଚ କାରବାର କ୍ୟାମେରାରେ କଏଦ ହୋଇଛି । ଫାଇନାଲ ବିଲ୍ ପେମେଣ୍ଟ ଲାଗି ୨୦ ହଜାର ଟଙ୍କା ମାଗିଥିଲେ ହେଁ ଅଗ୍ରୀମ ୧୦ ହଜାର ଟଙ୍କା ନେବାର ଚିତ୍ରକୁ କ୍ୟାମେରା କଏଦ କରି ଥିଲେ ଖୋଦ ଠିକାଦାର ।

ପିସି ନାହିଁ ତ ବିଲ ନାହିଁ । ରାଜ୍ୟ ସରକାରଙ୍କ ପିସି ବନ୍ଦ ନାରା କେତେ କାର୍ଯ୍ୟକାରୀ ତାର ଚିତ୍ର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ପି.ଭି-୨୨ ନଂ ର କମଲେସ ସର୍ଦାର ନାମକ ଠିକାଦାର ୨୦୧୭ ମସିହାରେ ୧,୪.୫୪୨.୦୦ ଟଙ୍କା ବ୍ୟୟ ଅଟକଳ ମୁଲ୍ୟରେ ୨ଟି ଦୋକାନ ଗୃହ ମରାମତି କାମ ଆରମ୍ଭ କରିଥିଲେ । କାମ ଆରମ୍ଭ କରିବାର ୨ ମାସ ମଧ୍ୟରେ ଶେଷ କରିଥିଲେ କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କାମର ପୁରା ବିଲ୍ ଦିଆଯାଇନାହିଁ ।

ବିଲ ପାଇଁ ଯନ୍ତ୍ରୀ ମହାଶୟା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କମଲେସ ଯନ୍ତ୍ରୀଙ୍କୁ ୧୦,୦୦୦ ଟଙ୍କା ଦେଲା ପରେ ମଧ୍ୟ ବିଲ ହୋଇପାରୁ ନାହିଁ । ଯନ୍ତ୍ରୀ କହୁଛନ୍ତି ଗୋଟିଏ ହାତରେ ଆଉ ୧୦ ହଜାର ଟଙ୍କା ଦେଇ ଆଉ ଗୋଟିଏ ହାତରେ ବିଲ ନେଇ ଯିବ । ଲାଞ୍ଚ ପାଇଁ ଏପରି ରୋକଠୋକ କହି ଥିବା ବେଳେ କ୍ୟାମେରାରେ କଏଦ ହୋଇଛି କନିଷ୍ଠ ଯନ୍ତ୍ରୀ ସୁନନ୍ଦା କାନୁନଗୋଙ୍କ ପୁରା କାରନାମା ।

ତେବେ ଏହି ପୁରା ମାମଲାକୁ ଅତି ଚତୁରତାର ସହ ଖଣ୍ଡନ କରିଛନ୍ତି ଯନ୍ତ୍ରୀ ସୁନନ୍ଦା କାନୁନଗୋ, ସେ ଲାଞ୍ଚ ନୁହେଁ ବରଂ ତାଙ୍କ ପାଉଣା ଟଙ୍କା ମାଗି ଥିବା କହିଛନ୍ତି ଯନ୍ତ୍ରୀ ସୁନନ୍ଦା । ତେବେ ଭିଡିଓର କଥା ବାର୍ତାରେ ଜେ.ଇ. ଦିଦିଙ୍କ ପୁରା କାରନାମା ଧରା ପଡିଛି । ରାଜ୍ୟ ସରକାର ପିସିକୁ ନେଇ ଜିରୋ ଟଲେରାନ୍ସର ନାରା ଦେଉ ଥିବା ବେଳେ ସରକାରୀ ଦଫତରରେ ବିଶେଷ କରି ଉପାନ୍ତ ଅଞ୍ଚଳରେ କେମିତି ଜାରି ରହିଛି ପିସି କାରବାର, ଏହା ହୋଉଛି ତାହାର ଏକ ଉଦାହରଣ ମାତ୍ର ।