କୋବ୍ରା ଫୋର୍ସର ଏମିତି ଜଣେ ମହିଳା ଅଫିସର ।  ଯାହାଙ୍କ ନାଁ ଶୁଣିଲେ ଥରି ଉଠନ୍ତି ନକ୍ସଲ

ହାତରେ ଏକେ-୪୭, ମନରେ ମାଓବାଦୀଙ୍କୁ ନିପାତ କରିବାର ଦୃଢ ପ୍ରତିଜ୍ଞା ।  ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ମାତ୍ ଦେବାରେ ମାହିର କୋବ୍ରା ଫୋର୍ସର ଉଷା କିରଣ 

574

ସୋସିଆଲ ମିଡିଆରେ ଏବେ ଉଷା କିରଣ ନାମକ ଯୁବତୀଙ୍କୁ ନେଇ ଜୋରଦାର ଚର୍ଚ୍ଚା । Vogue Women Of the Award ୨୦୧୮ରେ ସମ୍ମାନିତ ହେବା ପରେ ଏବେ ଉଷାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ତେବେ ଏତେ ସହଜରେ ଉଷାଙ୍କୁ ମିଳିନାହିଁ ଏଭଳି ସମ୍ମାନଜନକ ଆୱାର୍ଡ । ଲାଲବାହିନୀର ଗଡରେ ପଶି ନକ୍ସଲଙ୍କୁ ମାତ୍ ଦେଉଥିବା ଯବାନଙ୍କ ମଧ୍ୟରେ ଉଷା ହେଉଛନ୍ତି ଅନ୍ୟତମ । ଛତିଶଗଡର ସିଆରପିଏଫର ୮୦ ବାଟାଲିଅନରେ ଆସିଷ୍ଟାଣ୍ଟ କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ୨୭ ବର୍ଷୀୟା ଏହି ଯୁବତୀଙ୍କ ନାଁ ଶୁଣିଲେ ଥରି ଉଠନ୍ତି ନକ୍ସଲ ।

ଉଷା ଏମିତି ଜଣେ ମହିଳା ଯବାନ ଯିଏ ଲାଲଗଡରେ ପଶିବା କ୍ଷଣି ମାଓବାଦୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଏ । ହାତରେ ଏକେ-୪୭ ଓ ମନରେ ମାଓବାଦୀଙ୍କୁ ନିପାତ କରିବାର ଦୃଢ ପ୍ରତିଜ୍ଞା । ଏଭଳି ଢଙ୍ଗରେ ଜଙ୍ଗଲ ମଧ୍ୟରେ ପାଦ ଦେଇଥାନ୍ତି ଉଷା । ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ମାତ୍ ଦେବାରେ ମାହିର ଥିବା ଉଷା ପ୍ରତି ଅପରେସନରେ ନିଜେ ନେତୃତ୍ୱ ନେଇଥାନ୍ତି ।

ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକରେ ମାଓବାଦୀଙ୍କୁ ସମୂଳେ ନାଶ କରିବାକୁ ପ୍ରତିଜ୍ଞା ନେଇଥିବା ଉଷା କିରଣ ଦିଲ୍ଲୀର ଗୁରଗାଓଁ ବାସିନ୍ଦା । ୨୦୧୩ ମସିହାରେ ମାତ୍ର ୨୫ ବର୍ଷ ବୟସରେ ସିଆରପିଏଫରେ ଯୋଗ ଦେଇଥିଲେ ଉଷା । ତେବେ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକୁ ଯିବାକୁ ଯେତେବେଳେ ଅନ୍ୟ ଯବାନ ମାନେ କୁଣ୍ଠାବୋଧ କରିଥାନ୍ତି ସେତେବେଳେ ଉଷା ସ୍ୱଇଚ୍ଛାରେ ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତରରେ ନିଜର ପୋଷ୍ଟିଂ ନେଇଥିଲେ । ନକ୍ସଲଙ୍କ ଗଡ କୁହାଯାଉଥିବା ଦରଭା ଅଞ୍ଚଳ ଯେଉଁଠି ୨୦୧୨ ମସିହାରେ ଜଣେ କଂଗ୍ରେସ ନେତାଙ୍କ ସମେତ ୩୪ ଜଣଙ୍କୁ ମାଓବାଦୀ ମାନେ ହତ୍ୟା କରିଥିଲେ । ସେହି ସ୍ଥାନରେ ନିଜର ପୋଷ୍ଟିଂ ପକାଇଥିଲେ ଉଷା ।

ନକ୍ସଲ ପ୍ରଭାବିତ ଜିଲ୍ଲାରେ ପୋଷ୍ଟିଂ ନେଇଥିଲେ ମଧ୍ୟ ନା ମନରେ ଥିଲା ଡର, ନା ମାଓବାଦୀଙ୍କ ପ୍ରତି ଭୟ । ଲକ୍ଷ୍ୟ ଥିଲା କିଭଳି ଉକ୍ତ ଜିଲ୍ଲାକୁ ନକ୍ସଲ ମୁକ୍ତ କରିବେ । ଏଥିପାଇଁ ସ୍ପେଶାଲ ମାଓ ଅପରେସନରେ ଉଷା ନିଜେ ନେଉଥିଲେ ନେତୃତ୍ୱ । କିଛି ବର୍ଷର ରହଣି ସମୟରେ ସ୍ଥାନୀୟ ଆଦିବାସୀ ମହିଳାଙ୍କ ସହ ବେଶ ଭଲ ସର୍ମ୍ପକ ରଖିବା ସହ ମାଓଗଡରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି ।

ସିଆରପିଏଫର କୋବ୍ରା କମାଣ୍ଡୋ ଫୋର୍ସରେ ସାମିଲ ହୋଇଥିବା ଉଷା ଦେଶର ପ୍ରଥମ ମହିଳା ଅଫିସର । ଆଉ ଏହି ଫୋର୍ସରେ ସାମିଲ ହେବା ପରେ ଉଷାଙ୍କ ମୂଳ ଲକ୍ଷ୍ୟ ରହିଛି ନକ୍ସଲଙ୍କୁ ନିପାତ କରିବା । ଏହି ଫୋର୍ସର ଯବାନ ମାନେ ଜଙ୍ଗଲ ମଧ୍ୟରେ ଶତ୍ରୁପକ୍ଷକୁ ମାତ୍ ଦେବାରେ ସମ୍ପୁର୍ଣ୍ଣ ଭାବେ ମାହିର । ଯାହା ଏମାନଙ୍କୁ ଅନ୍ୟ ଯବାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ କରିଥାଏ ।