୨୦୧୩ରେ ଗୋପାଳଙ୍କୁ ଇସ୍ୟୁ ହୋଇଥିଲା ବନ୍ଧୁକ : ପିସ୍ତଲ ସହ ଦିଆଯାଇଥିଲା ୨୪ ରାଉଣ୍ଡ ଗୁଳି; କନକ ନ୍ୟୁଜ୍ ହାତରେ ବନ୍ଧୁକ ଇସ୍ୟୁର ଡକୁମେଣ୍ଟ

681

କନକ ବୁରୋ : ନବ ଦାସଙ୍କୁ ଗୁଳିମାଡ ଘଟଣା । ଏଏସଆଇ ଗୋପାଳ ଦାସଙ୍କ ସମ୍ପର୍କରେ ଆଉ ଏକ କଥା ସାମ୍ନାକୁ ଆସିଛି । ୨୦୧୩ରୁ ଅଭିଯୁକ୍ତ ଗୋପାଳ ଦାସଙ୍କୁ ବନ୍ଧୁକ ଇସ୍ୟୁ ହୋଇଥିଲା । ୯ ଏମଏମ ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଇସ୍ୟୁ ହୋଇଥିଲା । ୨୦୨୦ରେ ପୁରୁଣା ଗୁଳିକୁ ବଦଳାଇ ନୂଆ ଗୁଳି ଦିଆଯାଇଥିଲା । ୨୦୨୨ ଡିସେମ୍ବରରେ ରେଞ୍ଜ କୋର୍ସ ଫାଇରିଂରେ ଯୋଗ ଦେଇଥିଲେ । କନକ ନ୍ୟୁଜ ହାତରେ ବନ୍ଧୁକ ଇସ୍ୟୁର ଡକ୍ୟୁମେଣ୍ଟ ଲାଗିଛି ।

ସେପଟେ, ଆଜି ପୁଣି ଥରେ ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର ହେବେ ଗୋପାଳ ଦାସ । କୋର୍ଟରେ କ୍ରାଇମବ୍ରାଞ୍ଚ କରିଥିବା ୭ ଦିନିଆ ରିମାଣ୍ଡ ଆବେଦନର ଶୁଣାଣି କରାଯିବ । ସୋମବାର ରାତିରେ କଡା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗୋପାଳ ଦାସଙ୍କୁ କୋର୍ଟ ଚାଲଣ ବେଳେ ଅଟକିଥିଲା ପୁଲିସ ଭ୍ୟାନ । ବାଟ ମଝିରେ ଏକ ଅଜ୍ଞାତ ସ୍ଥାନରେ ଭ୍ୟାନକୁ ଅଟକା ଯାଇ ଗୋପାଳଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଥିଲା ।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ କ୍ୟାମ୍ପ କରି ତଦନ୍ତକୁ ଆଗକୁ ବଢ଼ାଉଛନ୍ତି । ତଦନ୍ତ ବେଳେ ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ତଦନ୍ତକାରୀ ଟିମ୍ ଅଭିଯୁକ୍ତ ବ୍ୟବହାର କରିଥିବା ଗୋଟିଏ ୯ ଏମଏମ୍ ପିସ୍ତଲ ଓ ୩ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ମୋବାଇଲ୍ ହ୍ୟାଣ୍ଡସେଟ୍ ଜବତ କରାଯାଇଛି ।

ବନ୍ଧୁକ ଓ ଗୁଳିକୁ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯାଇଛି । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରେ ତଦନ୍ତ ଆରମ୍ଭ କରିଛି । କ୍ୟାପିଟାଲ ହସ୍ପିଟାଲର ପୋଷ୍ଟମର୍ଟମ ରିପୋର୍ଟ ଓ ଏହାର ଭିଡିଓଗ୍ରାଫି ସଂଗ୍ରହ କରାଯିବ । ଅଭିଯୁକ୍ତର ଟ୍ରିଟମେଣ୍ଟ ରିପୋର୍ଟ ଓ ନବ ଦାସଙ୍କ ରକ୍ତ ଭିଜା ସାର୍ଟ ପରୀକ୍ଷା ପାଇଁ ପଠାଯାଇଛି । ଏଡିଜି ଅରୁଣ ବ୍ରୋଥା କହିଛନ୍ତି, ସତ ମାନିନେଇଛି ଅଭିଯୁକ୍ତ ।