ଆକାଶ ଛୁଇଁଲା ସୁନା ଦର । ୧୦ ଗ୍ରାମକୁ ୩୮ ହଜାର ଟଙ୍କା, ଭାରତୀୟ ସୁନା ବଜାର ଉପରେ ପଡିଲା ଆମେରିକା-ଚୀନ୍ ବାଣିଜ୍ୟିକ ଯୁଦ୍ଧର ପ୍ରଭାବ ।

338

କନକ ବ୍ୟୁରୋ : ପୁଣି ବଢିଲା ସୁନା ଦର । ୧୦ ଗ୍ରାମ ସୁନାକୁ ୩୮ହଜାର ଟଙ୍କା । ଗୋଟିଏ ଦିନରେ ସୁନା ଦର ୧୦ ଗ୍ରାମ ପିଛା ୧୧ ଶହ ୧୪ ଟଙ୍କା ବୃଦ୍ଧି ପାଇଛି । ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଲଢେଇ କାରଣରୁ ସୁନାର ଦର ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି । ଆଜି ଭାରତୀୟ ବଜାରରେ ସୁନା ଦର ସବୁ ରେକର୍ଡ ଭାଙ୍ଗି ୩୮ହଜାରରେ ପହଂଚିଛି । ସପ୍ତାହେ ଧରି ସୁନା ଦର ବଢିବାରେ ଲାଗିଛି ।

ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ଅନ୍ୟ ରାଜ୍ୟରେ ପାଖାପାଖି ସମାନ ରହିଛି । ଗତକାଲି ଠାରୁ ଆଜି ମଧ୍ୟରେ ସୁନାର ମୁଲ୍ୟ ୧୧ଶହ ୧୪ଟଙ୍କା ବଢିଛି । ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧର ଏହା ପ୍ରଭାବ ବୋଲି କୁହାଯାଉଛି ।

ଅନ୍ୟ ବାଣିଜ୍ୟରେ ମାନ୍ଦାବସ୍ଥା ଲାଗିରହିଥିବା ବେଳେ ସୁନାରେ ନିବେଶ କରିବାକୁ ବ୍ୟବସାୟୀମାନେ ଅଧିକ ମନ ବଳାଉଛନ୍ତି । ତେଣୁ ଷ୍ଟକ୍ ବଜାର ବଦଳରେ ସୁନାରେ ବଢୁଛି ନିବେଶ । ସେହିପରି ଗହଣା ନିର୍ମାତାମାନେ ମଧ୍ୟ ବିପୁଳ ପରିମାଣର ସୁନା କିଣୁଛନ୍ତି । ତେଣୁ ସୁନାର ଦରରେ ଏପରି ଅହେତୁକ ବୃଦ୍ଧି ଘଟୁଥିବା ଅନୁମାନ କରାଯାଉଛି । ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଛି । ଏକ କେଜି ରୂପାର ଦାମ୍ ୪୩ ହଜାରରୁ ଅଧିକ ଟଙ୍କା ହୋଇଯାଇଛି ।