ପାକିସ୍ତାନକୁ ଆମେରିକାର ତାଗିଦ୍ । କହିଲା, ସୀମାରେ ସଂଯମତା ରକ୍ଷା କରୁ ପାକ୍, ପ୍ରତିଶୋଧ ପରାୟଣ ହୋଇ ନନେଉ କୌଣସି ପଦକ୍ଷେପ ।

734

କନକ ବ୍ୟୁରୋ : ଜାମ୍ମୁକଶ୍ମୀରରେ ଧାରା ୩୭୦ ଓ ୩୫(ଏ) ଅପସାରଣ ହେବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ଏହାପରେ ଭାରତ ସହ ବାଣିଜିକ୍ୟ ଓ କୂଟନୈତିକ ସମ୍ପର୍କ ଛିନ୍ନ କରିଛି ପାକ୍ । ଏହା ସବୁ ଘଟଣାକ୍ରମ ଉପରେ ନଜର ରଖିଥିବା ଆମେରିକା, ପାକକୁ ସଂଯମତା ଅବଲମ୍ବନ କରିବା ପାଇଁ କହିଛି ।

ପାକିସ୍ତାନକୁ ଆମେରିକାର ଚେତାବନୀ । ପ୍ରତିଶୋଧ ନେବା ପରି କାର୍ଯ୍ୟ ନକରୁ ପାକିସ୍ତାନ । ଜାମ୍ମୁକାଶ୍ମୀରରେ ଧାରା ୩୭୦ ଓ ୩୫(ଏ) ହଟିବା ପରେ ବିଳି ବିଳଉଛି ପାକିସ୍ତାନ । ଏଥିପାଇଁ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସଂପର୍କ ଛିନ୍ନ କରିବା ପରେ ଆକାଶପଥ ବି ବନ୍ଦ କରିଛି । ଏହାକୁ ନେଇ ଆମେରିକା ପାକିସ୍ତାନକୁ ତାଗିଦ କରିଛି । ଆମେରିକା କହିଛି, ଭାରତ ବିରୋଧରେ କୌଣସି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଦୂରେଇ ରହୁ ଇସଲାମାବାଦ ।

ଆମେରିକା ବୈଦେଶିକ ବ୍ୟାପାର ସମିତି କହିଛି ପାକ୍ ଆତଙ୍କବାଦୀଙ୍କୁ ନିଜ ଦେଶରୁ ଶରଣ ନଦେଉ । ଏବଂ ଭାରତମାଟିରେ ଆତଙ୍କବାଦୀଙ୍କ ପ୍ରବେଶ ନକରାଉ । ସୀମାରେ ଅଶାନ୍ତି ସୃଷ୍ଟି ନକରି ସାବଧାନତା ଅବଲମ୍ବନ କରୁ ପାକିସ୍ତାନ । କେବଳ ଏତିକି ନୁହେଁ ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛି ଆମେରିକା ବୈଦେଶିକ ବ୍ୟାପାର ସମିତି ।

ଜମ୍ମୁକଶ୍ମୀରରେ ଧାରା ୩୭୦ ଅପସାରଣ ପ୍ରସଙ୍ଗରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଘେରିଥିଲେ ବିରୋଧୀ । ତେବେ ସେ ସମସ୍ତ ପ୍ରୟାସ ଜାରି ରଖିଥିବା ବେଳେ ବିରୋଧୀ କ’ଣ ଚାହୁଁଛନ୍ତି ବୋଲି ଇମ୍ରାନ ପ୍ରଶ୍ନ କରିଥିଲେ ।

ବିଶ୍ୱସ୍ତରୀୟ ନେତାଙ୍କ ସହ ଇମ୍ରାନ ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଏବଂ ସମର୍ଥନ ଗୋଟାଇବାକୁ ପ୍ରୟାସ କରୁଛନ୍ତି । ଏପରି ସ୍ଥିତିରେ ଦେଶରେ ଶାନ୍ତି ବଜାୟ ରହିବା ଗୁରୁତ୍ୱପୂର୍ଣ୍ଣ ବୋଲି ବିରୋଧୀ ଦଳ ନେତା ଇମ୍ରାନଙ୍କୁ କହିଥିଲେ । ଅପରପକ୍ଷରେ ବାଣିଜିକ୍ୟ ସମ୍ପର୍କ ତୁଟାଇଦେବାରୁ ପାକିସ୍ତାନ ଉପରେ ଏହାର ଅଧିକ ପ୍ରଭାବ ପଡିବ ।

ବିଶ୍ୱ ସ୍ତରୀୟ ନେତାଙ୍କ ସହ ଇମ୍ରାନ ଏନେଇ ଆଲୋଚନା କରୁଥିଲେ ମଧ୍ୟ ତାଙ୍କୁ କୌଣସି ସଫଳତା ମିଳିନାହିଁ । ଏପରିକି ମୁସଲିମ ବହୁଳ ଦେଶ ମଧ୍ୟ ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଗଲ୍ଫ ନ୍ୟୁଜର ରିପୋର୍ଟ ଅନୁଯାୟୀ ୟୁଏଇ ରାଷ୍ଟ୍ରଦୂତ ଭାରତର ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ଯେଉଁଠି ଅଧିକ ମୁସଲିମ ବହୁଳ ଦେଶ କାଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତିକୁ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସେପରି ସ୍ଥିତିରେ ୟୁଏଇ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ ଜଣାଇଛି । ଭାରତର ଏହି ପଦକ୍ଷେପ ଦ୍ୱାରା ଜାମ୍ମୁକଶ୍ମୀର ଓ ଲଦ୍ଦାଖ ବାସିନ୍ଦାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସୁଧୁରିବ । ଜାମ୍ମୁକଶ୍ମୀରରୁ ୩୭୦କୁ ଉଚ୍ଛେଦ କରିବା ଦେଶର ଅନ୍ତରୀଣ ପ୍ରସଙ୍ଗ ବୋଲି ମାଲଦ୍ୱୀପ କହିଛି । ସେପଟେ ସାଉଦି ଆରବର ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପ୍ରିନ୍ସକୁ ଇମ୍ରାନ ଖାନଙ୍କ ଫୋନ୍ କଲ୍ ଆସିଥିଲା । କିନ୍ତୁ ଏହି ପ୍ରସଙ୍ଗରେ ପାକିସ୍ତାନକୁ ସାଉଦି ଆରବର କୌଣସି ସମର୍ଥନ ମିଳିନାହିଁ ।