ଭୁବନେଶ୍ୱରରେ ଭୁଶୁଡି ପଡିଲା ନିର୍ମାଣାଧିନ ଓଭରବ୍ରିଜ ! ଭଗ୍ନାବଶେଷ ତଳେ ଚାପିହୋଇ ଜଣେ ମୃତ, ୧୫ରୁ ଅଧିକ ଆହତ

12

over bridge collapsedକନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ବଢ଼ୁଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଫ୍ଲାଏଓଭର ବ୍ରିଜ୍ ତିଆରି କରାଯାଉଥିବା ବେଳେ ସାମାନ୍ୟ ଅସାବଧାନତା କେତେ ବଡ଼ ବିପଦର କାରଣ ହୋଇପାରେ ତାର ନଜିର ସାମନାକୁ ଆସିଛି । ଭୁବନେଶ୍ୱରର ବମିଖାଲରୁ ସହିଦନଗରକୁ ସଂଯୋଗ କରିବା ପାଇଁ ତିଆରି ହେଉଥିବା ଏହି ଫ୍ଲାଏଓଭର ହଠାତ୍ ଭୁଶୁଡ଼ି ପଡ଼ିଛି । ଫଳରେ ଫ୍ଲାଏଓଭର ତଳେ ସ୍କୁଟରରେ ଯାଉଥିବା ବାପା ଓ ଝିଅଙ୍କ ଉପରେ ଖସିପଡ଼ିଥିଲା ଏକ ବଡ଼ ସ୍ଲାବ୍ । ଏହି ଘଟଣାରେ ବାପା ସତ୍ୟବ୍ରତ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଝିଅ ଶୀତଲଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତି କରାଯାଇଛି ।

ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ଘଟିଛି ଏହି ଦୁର୍ଘଟଣା । ପ୍ରାୟ ୧୦ରୁ ୧୫ଜଣ ଶ୍ରମିକ ଫ୍ଲାଏଓଭରର ସେଂଟରିଂ କାମ କରୁଥିଲେ । ଆଉ ଏହି ସମୟରେ ବିରାଟ ଗର୍ଜନ କରି ଖସିପଡ଼ିିଲା ନିର୍ମାଣାଧୀନ ପୋଲର ଏକ ବଡ଼ ସ୍ଲାବ୍ । ହଠାତ୍ କେହି କିଛି ବୁଝିପାରିଲେ ନାହିଁ । କଂକ୍ରିଟ୍ ସହ ତଳକୁ ଖସିପଡ଼ିଲେ ଉପରେ କାମ କରୁଥିବା ଶ୍ରମିକମାନେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ଲୋକେ ଦୌଡ଼ି ଆସିଲେ । ଓଦା କଂକ୍ରିଟ୍ରୁ ଶ୍ରମିକମାନଙ୍କୁ ଉଠାଇ ମେଡିକାଲ୍ ପଠାଇଲେ ।

ପରେ ପରେ ଘଟଣାସ୍ଥଳକୁ ଚାଲିଆସିଲେ ସରକାରୀ ସହାୟତାକାରୀ ଦଳ । ଅଗ୍ନିଶମ, ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍ ସହାୟତାରେ ଲୁହା ବିମ୍ କାଟି ଓ କଂକ୍ରିଟ୍ କାଢ଼ି ଭିତରେ କାଳେ କିଏ ରହିଯାଇଥିବେ ସେ ନେଇ ଦୀର୍ଘସମୟ ଧରି ସନ୍ଧାନ କରିଥିଲେ । ୨୦୦୯-୧୦ରେ ଅନୁମୋଦନ ପାଇଥିବା ଏହି ଫ୍ଲାଏଓଭର ୨ ବର୍ଷ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜମିଅଧିଗ୍ରହଣରେ ସମସ୍ୟା ଯୋଗୁଁ ବିଳମ୍ବ ହୋଇଚାଲିଥିଲା । ଦୁର୍ଘଟଣା ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୁଇଜଣ ଯନ୍ତ୍ରୀ- ଉପନିର୍ବାହୀ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ସହକାରୀ ଯନ୍ତ୍ରୀ କିଶୋର ରାଉତଙ୍କୁ ନିଲମ୍ବିତ କରାଯାଇଛି ।

ସରକାରୀ ଅଧିକାରୀମାନେ ଯେତେ ସଫେଇ ଦେଲେ ବି ଏହି ଦୁର୍ଘଟଣା ସରକାରଙ୍କ ଏକ ବଡ଼ ଅବହେଳାକୁ ସାମନାକୁ ଆଣିଛି । କେଉଁ ପରିସ୍ଥିତିରେ ବିନା ସୁରକ୍ଷା ବ୍ୟବସ୍ଥାରେ କାମ ହେଉଥିଲା ଏବଂ ଏତେ ନିମ୍ନମାନର କାମ ହେଉଥିଲା ତାର କାରଣ ସାମନାକୁ ଆସିବା ଦରକାର । ଏବଂ ଏହା ଏକ ଦୁର୍ଘଟଣା ନା ହତ୍ୟା ତାହା ମଧ୍ୟ ସରକାର ବୁଝାଇବା ଦରକାର ।