ମଧ୍ୟରାତ୍ରିିରେ ଅସ୍ଥାୟୀ ଶିବିରରେ ଲାଗିଲା ଭୟଙ୍କର ନିଆଁ ! ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ, ପ୍ରଶାସନର ଅଣଦେଖା ଅଭିଯୋଗ ।

82

କନକ ବ୍ୟୁରୋ : ରାତି ଅଧିଆ ଅସ୍ଥାୟୀ ଶିବିରରେ ଲାଗିଲା ଭୟଙ୍କର ନିଆଁ । ମୟୂରଭଞ୍ଜ ଜିଲ୍ଲା ପାଞ୍ଚପୀଢ ଉପଖଣ୍ଡ ଶିମିଳିପାଳ ଜାତୀୟ ଉଦ୍ୟାନରୁ ଗତ ଜୁନ ମାସରେ ସ୍ଥାନାନ୍ତରଣ ହୋଇ ଆସିଥିବା ସିଆଳନଇ ଅସ୍ଥାୟୀ ବସ୍ତିରେ ଗତକାଲି ରାତି ସାଢେ ୧୧ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏଥିରେ ୨୭ଟି ଅସ୍ଥାୟୀ ଝୁମ୍ପୁଡି ଘର ସମେତ ସମସ୍ତ ଆସବାବପତ୍ରରେ ନିଆଁ ଲାଗିବା ସହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ତେବେ ସବୁଠାରୁ ବଡ କଥା ହେଉଛି, ଗତ ଜାନୁଆରୀ ୨୨ ତାରିଖ ଦିନ ମଧ୍ୟ ଏହି ସ୍ଥାନରେ ୧୬ଟି ଅସ୍ଥାୟୀ ଝୁମ୍ପୁଡି ଘରେ ନିଆଁ ଲାଗିଥିଲା । ଆଉ ଏଥିରେ ରାଧାରାଣୀ ଦେହୁରୀ ନାମକ ଜଣେ ମହିଳା ନିଆଁରେ ପୋଡି ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଏହି ଘଟଣାକୁ ୧୫ଦିନ ବିତିଥିବା ବେଳେ ଗତକାଲି ରାତିରେ ପୁଣି ଥରେ ଲାଗିଛି ଭୟଙ୍କର ନିଆଁ । ଆଉ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

ଏହି ସ୍ଥାନକୁ ସ୍ଥାନାନ୍ତର ହୋଇ ଆସିଥିବା ବସ୍ତିବାସିନ୍ଦାଙ୍କୁ ତିନି ମାସ ମଧ୍ୟରେ ପକ୍କା ଘର ଯୋଗାଇ ଦେବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ଯାହାକି ପାଣିର ଗାର ପାଲଟିଛି । ଅଗ୍ନିକାଣ୍ଡ ଭଳି ଭୟଙ୍କର ଘଟଣା ଦୁଇ ଦୁଇ ଥର ଘଟିଥିବାରୁ ପ୍ରଶାସନ ସେମାନଙ୍କୁ ଅଣଦେଖା କରୁଥିବା ଏବଂ ସୁବିଧା ସୁଯୋଗ ଯୋଗାଇଦେବା ପରିବର୍ତ୍ତେ ମରଣ ମୁହଁକୁ ଠେଲି ଦେଉଛି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି । ସ୍ଥାନାନ୍ତରଣ ହେବାର ୬ରୁ ୭ ମାସ ବିତିଯାଇଥିଲେ ସୁଦ୍ଧା, ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବେଳେ ନାଲିଆଖି ଦେଖାଇ ଦିନ ପରେ ଦିନ ଗଡେଇ ଚାଲିଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି ।