ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ : ମେକ୍ ଇନ୍ ଓଡିଶା କନକ୍ଲେଭରେ ଦେବେ ଉଦବୋଧନ

39

କନକ ନ୍ୟୁଜ : ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବୃହତ ବ୍ୟବସାୟିକ ସମାବେଶ ମେକ ଇନ୍ ଓଡିଶା କନକ୍ଲେଭ । ଗତକାଲି ଠାରୁ  ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ୩ ଦିନିଆ ସମାବେଶ । ଆଜି ଏଇ ସମାବେଶରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସାମିଲ ହେବେ । ରେଡ କାର୍ପେଟ ବିଛାଇ ପ୍ରାୟ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଖଣିଜ ଶିଳ୍ପକୁ ବାଦ ଦେଇ ୮ଟି କ୍ଷେତ୍ରରେ ବିପୁଳ ପରିମାଣର ପୁଞ୍ଜି ନିବେଶ ଆଶା ରଖିଛି ଓଡିଶା ।

ଏହି ସମାବେଶରେ ଭାଗ ନେଉଛନ୍ତି ଦେଶର ଶତାଧିକ ପ୍ରତିଷ୍ଠିତ ଜାତୀୟ କମ୍ପାନି । ପେଟ୍ରୋଲିୟମ, ପେଟ୍ରୋକେମିକାଲ, ପ୍ଲାଷ୍ଟିକ ଓ କୋଲ ଗ୍ୟାସିଫିକେସନ ସହ ହସ୍ତତନ୍ତ ଓ ବୟନଶିଳ୍ପ, ସ୍ୱାସ୍ଥ୍ୟସେବା ଓ ଔଷଧ ପ୍ରସ୍ତୁତିକରଣ, ଖାଦ୍ୟ ପ୍ରକ୍ରିୟାକରଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା, ଜୈବ ପ୍ରଯୁକ୍ତି ଓ ଅକ୍ଷୟଶକ୍ତି କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବାର ଲକ୍ଷ୍ୟ ରଖାଯାଇଛି ।

ଆଜି ମୁଖ୍ୟତଃ ୪ ଟି ଶିଳ୍ପ ଉପରେ ଆଲୋଚନା କରାଯିବ । ସ୍ମାର୍ଟ ସିଟି, ଟେକ୍ସଟାଇଲ, କେମିକାଲ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ମଧ୍ୟ ସମାବେଶରେ ଗୁରୁତ୍ୱ ଦିଆଯାଇଛି । ଓଡିଶାରେ ଥିବା ପୁଞ୍ଜି ନିବେଶର ସୁଯୋଗ ସଂପର୍କରେ ଜଣାଇବା ସହ ନିବେଶକ ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଂଶଗ୍ରହଣକାରୀ କମ୍ପାନି ସେମାନଙ୍କ ଉତ୍ପାଦ, ସେବା ଓ ବୈଷୟିକ ଜ୍ଞାନକୌଶଳର ପ୍ରଦର୍ଶନୀ କରିଛନ୍ତି ।