ବଡ ନୋଟ୍ ଅଚଳ ପ୍ରଭାବର ଅନୁଧ୍ୟାନ କରିବ ମୁଖ୍ୟମନ୍ତ୍ରୀ କମିଟି : ୬ଜଣିଆ କମିଟିରେ ଅଛନ୍ତି ନବୀନ ପଟ୍ଟନାୟକ

30

କନକ ବ୍ୟୁରୋ :୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପରେ ଏହାର ପ୍ରଭାବ କଣ ରହିଛି, ତାହାର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ କମିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ କେନ୍ଦ୍ର ସରକାର ଏହି କମିଟି ଗଠନ କରିଛନ୍ତି ।

ବିଜେପି ନେତୃତ୍ୱଧୀନ ମୋଦି ସରକାରଙ୍କ ସହଯୋଗୀ ଥିବା ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କମିଟିର ଆବାହକ ରହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ସିକିମ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗ ରହିଛନ୍ତି ଏହି କମିଟିରେ ।

ସ୍ୱତନ୍ତ୍ର ସଦସ୍ୟ ଭାବେ ରହିଛନ୍ତି, ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିଆ, ସିଇଓ ଅମିତାଭ କାନ୍ତ ଓ କିଛି ଅର୍ଥନୀତି ବିଶେଷଜ୍ଞ । କ୍ୟାସଲେସ୍ ସୋସାଇଟି ବା ନଗଦମୁକ୍ତ କାରବାର ବ୍ୟବସ୍ଥା ଅବଲମ୍ବନ କରିବା ପାଇଁ କଣ କରାଯାଇପାରିବ, ତାହାର ଅନୁଧ୍ୟାନ କରିବ ଏହି କମିଟି ।

ସାରା ଦେଶରେ ବିଶେଷ କରି ଗ୍ରାମାଂଚଳରେ ଡିଜିଟାଲ ପେମେଂଟ ବ୍ୟବସ୍ଥାକୁ କିପରି ଶୀଘ୍ର କାର୍ଯ୍ୟକାରୀ କରାଯିବ, ଏ ସଂପର୍କରେ ମତାମତ ଦେବ କମିଟି ।

ଅଧିକ ମାତ୍ରାରେ ଡେବିଟ୍ କାଡ୍, କ୍ରେଡିଟ୍ କାଡ୍ ବ୍ୟବହାର, ଇ-ୱାଲେଟ୍ ବ୍ୟବସ୍ଥା ପ୍ରଚଳନ, ଇଂଟରନେଟ୍ ବ୍ୟାଙ୍କିଂ ସଂପ୍ରସାରଣ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ ଏହି କମିଟି । ଡିଜିଟାଲ ପ୍ରଣାଳୀରେ ସମସ୍ୟା ଓ ତାହାର ତ୍ୱରିତ ସମାଧାନ ପାଇଁ ଏହି କମିଟି ପ୍ରସ୍ତାବ ଦେବ ।