ଆଜି ଭାରତ ବନ୍ଦ ! ବିଭିନ୍ନ ଦାବି ନେଇ କୃଷକ ସଂଗଠନର ଭାରତ ବନ୍ଦ ଡାକରା

45

କନକ ବ୍ୟୁରୋ: ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ । ଜୁନ ୧ରୁ ଆରମ୍ଭ ହୋଇଥିବା କୃଷି ଆନ୍ଦୋଳନର ୧୦ମ ଦିନରେ ଏହି ବନ୍ଦ ପାଳନ କରାଯିବ । ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର , ପଞ୍ଜାବ ଓ ରାଜସ୍ଥାନରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି କୃଷକ ସଂଗଠନ । ଚାଷ ଋଣ ଛାଡ, ମାଗଣାରେ ବିଜୁଳି ଯୋଗାଣ, ସ୍ୱାମୀନାଥନ କମିଟିର ସୁପାରୀଶ ଆଧାରରେ ସୁବିଧା ଦେବାକୁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଗୁଜୁରାଟରେ କଂଗ୍ରେସ ଏହି ଆନ୍ଦୋଳନକୁ ସମର୍ଥନ କରୁଛି । ତେଣୁ ଗୁଜୁରାଟରେ ଆନ୍ଦୋଳନ ଜୋରଦାର ହେବାର ସମ୍ଭାବନା ରହିଛି । ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖ ଥାଉ କି, ଆଜି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେଶର ପ୍ରମୂଖ ୨୨ଟି ରାଜ୍ୟରେ ଚାଷୀ ସଂଗଠନ ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ଆହ୍ନାନ ଦେଇଛନ୍ତି । ତେବେ ବିଗତ ୧୦ ଦିନ ଧରି ବିଭିନ୍ନ କୃଷକ ସଂଗଠନମାନେ ଭିନ୍ନ ଭିନ୍ନ ଦାବି ଧରି “ଗାଁ ବନ୍ଦ’ ଡାକରା ଦେଇଥିଲେ । ଏହି ଆନ୍ଦୋଳନରେ ଦୀର୍ଘ ୧୦ ଦିନ ହେବ ଗାଁରୁ ସହରକୁ କୌଣସି ଚାଷୀ ଉପକୃତ ଦ୍ରବ୍ୟ ପଠାଇ ନଥିଲେ ଆନ୍ଦେଳନରତ କୃଷକ । ୨୦୧୪ରୁ ଚାଷୀ ଉପକ୍ରମ ଜିନିଷ ଉପରେ ଲଗାତାର ଭାବେ ସରକାର ମୁଲ୍ୟ ହ୍ରାସ କରାଉଛନ୍ତି ।

୨୦୦୭ ମସିହାରେ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ସେତେବେଳେ ସ୍ୱାମୀନାଥନ କମିଟିକୁ ସୁପାରିଶ କରିଥିଲା । ଯେଉଁଥିରେ ଚାଷୀମାନଙ୍କୁ ତାଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ, ଏବଂ ଚାଷୀଙ୍କୁ ପେନସନ ଭଳି ସୁବିଧା ଯୋଗାଇ ଦେବା ପାଇଁ କମିଟିରେ ସୁପାରିଶ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଲାଗୁ କରାଯାଉ ନାହିଁ ବୋଲି ମହାସଂଘ ଅଭିଯୋଗ କରିଛି । ୨୦୧୪ ପୂର୍ବରୁ କଂଗ୍ରେସ ଯେଉଁଭଳି ଭାବେ ଚାଷୀଙ୍କୁ ପ୍ରତାରିତ କରୁଥିଲା । ୨୦୧୪ରେ କ୍ଷମତାକୁ ଆସିବା ପରେ ଚାଷୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଦେବାର ପ୍ରତିଶ୍ରୁତି ଦେଇଥିବା ମୋଦିସରକାର ଚାଷୀଙ୍କ ତଣ୍ଟି ଚିପି ହତ୍ୟା କରୁଥିବା ଅଭିଯୋଗ କରିଛନ୍ତି ସଂଘର ସଭାପତି ଶିବ କୁମାର ଶର୍ମା ।