ଆସନ୍ତାକାଲି ସାରା ଦେଶରେ ଚାଷୀ ପାଳିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବେ ଚାଷୀ

95

କନକ ବ୍ୟୁରୋ: ଆସନ୍ତାକାଲି ସାରାଦେଶରେ ଚାଷୀ ପାଳନ କରିବେ ସଦଭାବନା ଦିବସ । ଦିନିକିଆ ଉପବାସ ରହି ଆନ୍ଦୋଳନ କରିବା ପାଇଁ ଆଜି ନିଷ୍ପତି ନେଇଛନ୍ତି ଚାଷୀ ସଂଗଠନ । ଦେଶବାସୀଙ୍କୁ ଏଥିରେ ସାମିଲ ହେବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି । ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ଆଜି ସୂଚନା ଦିଆଯାଇଛି ।

ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବିକୁ ପୁଣି ଜୋରଦାର କରିବା ପାଇଁ ଅଂଟା ଭିଡିଛନ୍ତି ଚାଷୀ ନେତା । ସେପଟେ ସିଂଘୁ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ଆଜି ହିଂସାକାଣ୍ଡ ଦେଖିବାକୁ ମିଳିଛି । ଆନ୍ଦୋଳନ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ବିକ୍ଷୋଭ କରିବା ପରେ ଆନ୍ଦୋଳନକାରୀ ଚାଷୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଛନ୍ତି । ଏପରିକି ଉଭୟ ପକ୍ଷ ମଧ୍ୟ ପରସ୍ପର ଉପରକୁ ପଥରମାଡ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠିମାଡ କରିଛି ପୋଲିସ୍ । ଏହି ସଂଘର୍ଷରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ନେଇ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।