ଚାଷୀଙ୍କୁ ଖୁସ୍ କରିଦେଲା କଂଗ୍ରେସ ସରକାର ।  ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ କୃଷି ଋଣ ଛାଡ କଲେ ଭୁପେଶ ବାଘେଲ

1,210

କନକ ବ୍ୟୁରୋ : କଥା ରଖିଲା କଂଗ୍ରେସ । ମଧ୍ୟପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସରକାର ଗଢୁ ଗଢୁ କୃଷି ଋଣ ଛାଡ କଲେ ଭୁପେଶ ବାଘେଲ ସରକାର । ମୁଖ୍ୟମନ୍ତ୍ରୀ ପଦର  ଶପଥ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ ନେଇ ଘୋଷଣା କରିଛନ୍ତି ଭୁପେଶ ବାଘେଲ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନେଇଛନ୍ତି ଭୁପେଶ । ଏହାଛଡା ଏହି କ୍ୟାବିନେଟ ବୈଠକରେ ଝିରମ ଘାଟି କାଣ୍ଡ ଘଟଣାରେ ଏସଆଇଟି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ଚାଷୀଙ୍କ ପାଇଁ ଆଉ ଏକ ଖୁସିଖବର ଆଣିଛନ୍ତି ଭୁପେଶ । ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ବାଘେଲ ସରକାର ।


ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ,  କ୍ୟାବିନେଟ ନିଷ୍ପତି ଅନୁଯାୟୀ ତାଙ୍କ ସରକାର ୧୬ ଲକ୍ଷ ୬୫ ହଜାରରୁ  ଅଧିକ ଚାଷୀଙ୍କ ପାଇଁ ୬୧୦୦ କୋଟି ଟଙ୍କାର ଋଣ ଛାଡ କରିଛନ୍ତି ।

ଏହାପୂର୍ବରୁ  ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ଶପଥ ନେବାର ୨ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡି କରି ଚାଷୀଙ୍କୁ ଖୁସି କରି ଦେଇଥିଲେ । ମଧ୍ୟପ୍ରଦେଶରେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ ତାହାକୁ ପୂରଣ କରି ବାହାବା ସାଉଣ୍ଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ।ରାଜ୍ୟରେ ୨ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସମସ୍ତ କୃଷି ଋଣ ଛାଡ଼ କରିଛନ୍ତି ମଧ୍ୟପ୍ରଦେଶର ନବ ଗଠିତ କଂଗ୍ରେସ ସରକାର । ଏନେଇ କୃଷି ଋଣ ଦସ୍ତାବିଜ୍ ରେ ଦସ୍ତଖତ କରିଛନ୍ତି କମଲ ନାଥ ।

ଗତ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ହୋଇଥିବା ସମସ୍ତ କୃଷି ଋଣ ଛାଡ଼ କରିବାକୁ ମଧ୍ୟପ୍ରଦେଶ କଂଗ୍ରେସ ସରକାର ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ସାରା ରାଜ୍ୟର ଚାଷୀ ପରିବାରଙ୍କୁ କମଲ ନାଥଙ୍କ ଉପହାର ବୋଲି ଆଲୋଚନା ଚାଲିଛି । ଏପରିକି ଅଗାମୀ ୫ ବର୍ଷ ମଧ୍ୟରେ ବେକାରୀ ସମସ୍ୟାକୁ ଦୂର କରି ଶିଳାନୁଷ୍ଠାନ କ୍ଷେତ୍ରରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଦିଗରେ ସହାୟକ ପାଇଁ ଦୃଢ଼ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଏବେ କୃଷି ଋଣ ଛାଡ଼ ପରେ ଏହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ କଂଗ୍ରେସ ଚାହିଁବ ବୋଲି ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ।

ପୂର୍ବରୁ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ କୃଷକଙ୍କ ସାମାଜିକ ସୁରକ୍ଷା ଭତ୍ତା ଦେବା ପାଇଁ ପ୍ରତିଜ୍ଞା କରିଥିଲା । କେବଳ ଏତିକି ନୁହେଁ ପ୍ରତ୍ୟେକ ଚାଷୀ ପରିବାରର କନ୍ୟା ବିବାହ ଲାଗି ୫୧ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି କମଲ ନାଥ । ମରୁଡ଼ି ପ୍ରଭାବତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରିବା ପ୍ରତିଶ୍ରୁତି ଦେଇ ଲୋକଙ୍କ ମନ ଜିଣିଥିଲା କଂଗ୍ରେସ । ଏବଂ ସରକାର ଗଢ଼ିବାରେ ସଫଳ ହେବାପରେ ଏବେ ଚାଷୀଙ୍କ ପାଇଁ କୃଷି ଋଣ ଛାଡ଼ କରି ଅନ୍ୟାନ୍ୟ ରାଜ୍ୟକୁ ଏକ ରାଜନୈତିକ ଥୋପ ଛାଡ଼ିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲ ନାଥ ।