ବଡ଼ଦାଣ୍ଡରେ ଚାଲିଲା ବୁଲଡୋଜର, ମାଟିରେ ମିଶିଲା ଲଙ୍ଗୁଳି ମଠ : କାଲି ପଡ଼ିବ ଏମାର ମଠର ପାଳି

380

କନକ ବ୍ୟୁରୋ : ସୁରକ୍ଷା ଏବଂ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଉତ୍ତର ପାଶ୍ୱର୍ରେ ଥିବା ଲଙ୍ଗୁଳି ମଠ ଓ ମଠରୁ ଭଡାରେ ନେଇଥିବା ୨୬ଟି ଦୋକାନ ଘର ଭଙ୍ଗାଯାଇଛି । ମାଜିଷ୍ଟ୍ରେଟ୍, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ,ଏସପି ଓ ୧୦ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ମଠ ଓ ଦୋକାନ ଉଛେଦ କରାଯାଇଛି । ମେଘନାଦ ପାଚେରୀ ଠାରୁ ମାତ୍ର ୩୦ ମିଟର ଦୂରରେ ଥିବା ଲଙ୍ଗୁଳି ମଠକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବିପଦସଙ୍କୁଳ ଘୋଷଣା କରିଥିଲେ । ଆଜି ମଠ ଉପରେ ଚାଲିଛି ବୁଲଡୋଜର । ଆସନ୍ତାକାଲି ଐତିହାସିକ ଏମାର ମଠ ଭଂଗାଯିବ ବୋଲି ପ୍ରଶାସନ କହିଛି ।

ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ଉଚ୍ଛେଦ କାମ ଆଜିବି ଆଗକୁ ମାଡି ଚାଲିଥିଲା । ଆଉ ଶ୍ରୀମନ୍ଦିରର ଉତ୍ତର ପାଶ୍ୱର୍ରେ ରହିଥିବା ଲଙ୍ଗୁଳି ମଠ ଉପରେ ବି ବୁଲଡୋଜର ଚାଲିଲା । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସଂସ୍କୃତି ସହ ଜଡିତ ଏହି ମଠ ଗୁଡିକ ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସିଥିଲା ।

ବଡଦାଣ୍ଡରେ ବଡ ଧରଣର ଉଚ୍ଛେଦ ଅଭିଯାନ । ୧୦ ପ୍ଲାଟୁନ୍ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠ ଭାଂଗିଲା । ଆଉ ତାସହ ଦେଖୁ ଦେଖୁ ଚୁରମାର ହୋଇଗଲା ଛୋଟ ବଡ ୨୬ଟି ଦୋକାନ । ସୋମବାରଠାରୁ ଏସବୁ ଭାଂଗିବାକୁ ପ୍ରଶାସନ ନୋଟିସ ଜାରି କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା । ମଠ ଓ ଦୋକାନ ଗୁଡିକୁ ଖାଲି କରାଯାଇଥିଲା ।

ବୁଧବାର , ଐତିହାସିକ ଏମାର ମଠକୁ ମଧ୍ୟ ଭଂଗାଯିବ । ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଥିବା ପ୍ରାୟ ୯ ଶହ ବର୍ଷ ପୁରୁଣା ଏହି ମଠକୁ ଖାଲିକରାଯାଇଛି । ମଠ ମଧ୍ୟରେ ଥିବା ଲାଇବ୍ରେରୀକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତି ନିଆଯାଇଥିବା ବେଳେ ପୁରା ମଠଟିକୁ ଭଂଗାଯିବ ।