ସାତକୋଶିଆରେ ସୁନ୍ଦରୀ ଅପରେସନ୍ ! ବାଘୁଣୀକୁ ଧରିବା ପାଇଁ ଚନ୍ଦକାରୁ ଆସିଲା କୁମକି ହାତୀ ଯଶୋଦା ।

116

କନକ ବ୍ୟୁରୋ : ସାତକୋଶିଆରେ ଚନ୍ଦକା ହାତୀ । ସୁନ୍ଦରୀ ପାଇଁ ଆସିଲା ଯଶୋଦା । ବନବିଭାଗକୁ ବାରମ୍ବାର ଚକମା ଦେଇ ଖସିଯାଉଥିବା ବାଘୁଣୀ ସୁନ୍ଦରୀକୁ ଧରିବ କୁମକି ହାତୀ ଯଶୋଦା । ହାତୀ ପିଠିରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବେ ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ୍ । ଆସନ୍ତାକାଲିଠୁ ସାତକୋଶିଆରେ ଅପରେସନ୍ ସୁନ୍ଦରୀରେ ସାମିଲ ହେବ ଯଶୋଦା ।

ବାଘ ଧରିବ ହାତୀ । ସୁନ୍ଦରୀ ପାଇଁ ଆସିଲା ଯଶୋଦା । ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର ସବୁ ପ୍ରକାର ଉଦ୍ୟମ ବିଫଳ ହେବା ପରେ ଏବେ ଚନ୍ଦକାରୁ ଆସିଥିବା କୁମକି ହାତୀ ଯଶୋଦା ଉପରେ ରହିଛି ଭରସା । ଅପରେସନ ସୁନ୍ଦରୀ ପାଇଁ ଏବେ ଅନୁଗୁଳ ପୁରୁଣାକୋର୍ଟ ରେଂଜ ଅଫିସରେ ପହଂଚି ସାରିଛି ହାତୀ । କୁମକି ହାତୀ ହେଉଛି ବିଶେଷ ତାଲିମପ୍ରାପ୍ତ ହାତୀ, ଯିଏ ମାହୁନ୍ତର ଇସାରାରେ କାମ କରିଥାଏ ।

ଦିନଟିଏ ବିଶ୍ରାମ ନେବା ପରେ ଆସନ୍ତାକାଲିଠୁ ସୁନ୍ଦରୀକୁ ଠାବ କରିବା କାମରେ ନିୟୋଜିତ ହେବ ଯଶୋଦା । ଏହା ସହ ୧୨ ଜଣିଆ ଟିମ୍ ମଧ୍ୟ ପହଂଚିଛନ୍ତି । ଏହି ଟିମ୍  ହାତୀର ମାନସିକ ସ୍ଥିତି ଅନୁଧ୍ୟାନ କରିବା ପରେ ଭୌଗଳିକ ସ୍ଥିତି ପରିକ୍ଷଣ କରିବେ । ଏହା ସହ ଅପରେସନ ପାଇଁ ମଇଁଷି, ସ୍ୱୟଂ ଚାଳିତ ଯନ୍ତା ଓ ଷ୍ଟ୍ରେଚର ସାତକୋଶିଆରେ ରଖାଯାଇଛି । ସୁନ୍ଦରୀକୁ ଧରିବା ପାଇଁ ୧୦ଦିନ ଧରି ଝାଳନାଳ ବୁହାଇବା ପରେ ଶେଷରେ କୁମକି ହାତୀର ସହାୟତା ନେଇଛି ବନବିଭାଗ ।

ଏବେ ବାଘୁଣୀ ସୁନ୍ଦରୀ ପୁରୁଣାକୋଟ ଗାଁରୁ ୨-୩ କିଲୋମିଟର ଜଙ୍ଗଲ ଭିତରେ ରହିଥିବା ଜଣାପଡିଛି । ବାନ୍ଧବଗଡରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ଯଶୋଦା ସହାୟତାରେ ବାଘକୁ ଟ୍ରାଙ୍କୁଲାଇଜ କରିବେ । ହାତୀର ସହାୟତା ନେଇ ବାଘକୁ ଟ୍ରାଙ୍କୁଲାଇଜ୍ କରିବାର ନଜିର ରହିଛି । ଏହି ହାତୀ ପୂର୍ବରୁ ଅନେକ ଥର ବଣୁଆ ହାତୀଙ୍କୁ ରୋକିବାରେ ସକ୍ଷମ ହୋଇଛି ।