ଜୀବନର ଶେଷ ସମୟରେ ପ୍ରେମର ବିଦାୟ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ହୃଦୟ ବିଦାରକ ଦୃଶ୍ୟ , କରୋନା କୋପରେ କବଳିତ ବୃଦ୍ଧ ଦମ୍ପତୀ ଶେଷଥର ପାଇଁ ନେଲେ ବିଦାୟ 

544

ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା ଭାଇରସ । ଏ ପର୍ଯ୍ୟନ୍ତ ୨୫ ଟି ଦେଶ ଏହି ରୋଗରେ ଆକ୍ରାନ୍ତ ହେଲେଣି । ଏହାରି ଭିତରେ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଭିଡିଓରେ ଏକ ବୃଦ୍ଧ ଦମ୍ପତୀଙ୍କୁ ଦେଖିବାକୁ ମିଳିଛି । ବୟସ ପାଖାପାଖି ୮୦ ହେବ । ଦୁହେଁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହି ଦୃଶ୍ୟଟି ଅତ୍ୟନ୍ତ ହୃଦୟବିଦାରକ । ଡାକ୍ତରଖାନା ବେଡରେ ଶୋଇଛନ୍ତି ଦୁହେଁ । ଜୀବନ ଓ ମରଣ ସହିତ ସଂଗ୍ରାମ କରୁଛନ୍ତି । ହୃଦୟରେ ବେଦନା ଭରି ରହିଛି । ଖନି ଖନି ପାଟିରେ ଦୁହେଁ ପରସ୍ପରକୁ କିଛି କହିବାକୁ ଚେଷ୍ଟା କରୁଛନ୍ତି । ପରିଣତ ବୟସରେ ଦୁହିଁଙ୍କ ମଧ୍ୟରେ ଥିବା ଅସରନ୍ତି ଭଲପାଇବା ୟୁଜର୍ସମାନଙ୍କ ଆଖିରେ ଲୁହ ଆଣିଦେଇଛି । ବୃଦ୍ଧ ଦମ୍ପତି ପରସ୍ପର ଆତ୍ମହରା ହୋଇପଡିଛନ୍ତି । କହୁଛନ୍ତି , ଗୁଡ ବାଏ….ଗୁଡ ବାଏ… ।

ଜିଆଙ୍ଗ ୱେଇ ନିଜ ଟ୍ୱିଟର ଆକାଉଣ୍ଟରେ ବୃଦ୍ଧ ଦମ୍ପତିଙ୍କ ଏହି ଭିଡିଓଟିକୁ ଶେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି କ’ଣ ସତରେ ପ୍ରେମର ଅର୍ଥ ଏହା ? ଏହି ଦମ୍ପତି ପରସ୍ପରକୁ ଗୁଡ ବାଏ କହୁଛନ୍ତି । କରୋନା ଭାଇରସରେ ଆକ୍ରାନ୍ତ ବୃଦ୍ଧ ଦମ୍ପତି ସେମାନଙ୍କ ସାକ୍ଷାତକୁ ଶେଷ ସାକ୍ଷାତ ବୋଲି ଭାବି ନେଇଛନ୍ତି । ଆଉ ଶେଷରେ ବିଦାୟ ସମୟରେ ପରସ୍ପର ଠାରୁ ଏପରି କହି ବିଦାୟ ନେଉଛନ୍ତି । ସୂଚନାନୁସାରେ, ଏହି ଭିଡିଓକୁ ୫ ଲକ୍ଷ ୬୯ ହଜାର ୟୁଜର୍ସ ଦେଖିସାରିଲେଣି । ବୃଦ୍ଧ ଦମ୍ପତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଲୋକଙ୍କ ହୃଦୟକୁ ଭିଡିଓଟି ଖୁବ୍ ସ୍ପର୍ଶ କରିଛି । କରୋନା ଭୂତାଣୁରେ ଚୀନରେ ଏଯାଏଁ ୨୦,୫୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ଚୀନ ବାହାରେ ୧୯୨ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଚୀନରେ କରୋନା ଭୂତାଣୁ ସଂକ୍ରମିତ ମୃତ୍ୟୁ ସଂଖ୍ୟା ୪୯୦ ରେ ପହଂଚିଛି । ଅନ୍ୟ ଦେଶଗୁଡିକରେ ୨ ଜଣ ପ୍ରାଣ ହରାଇଛନ୍ତି ।