ଏବେ ଓଡିଶାରେ ରହିବ ‘ସୁନ୍ଦରୀ’ । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରେ ଅଛନ୍ତି ଆଉ ୨ଟି ବାଘ । ଦୁଇ ବାଘଙ୍କ ଅନ୍ୟତ୍ର ସ୍ଥାନାନ୍ତର ପରେ ‘ବାଘୁଣୀ’କୁ କରାଯିବ ସ୍ଥାନାନ୍ତର

ଚିଫ ୱାଇଲ୍ଡଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା

272

କନକ ବ୍ୟୁରୋ: ଏବେ ଓଡିଶା ଛାଡିବନି ‘ସୁନ୍ଦରୀ’ । ଓଡିଶାରେ ରହିବ ବାଘୁଣୀ ସୁନ୍ଦରୀ । ତେବେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭାୟରଣ୍ୟର ଘୋରେଲାରେ ବର୍ତ୍ତମାନ ଅନ୍ୟ ଦୁଇଟି ବାଘ ଅଛନ୍ତି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ ସୁନ୍ଦରୀକୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାଡେନ ହରିଶଙ୍କର ଉପାଧ୍ୟାୟ ।

ମଣିଷ ମାରିବା ଅଭିଯୋଗରେ ନିୟମ ଉଲ୍ଲଘଂନ କରି ସୁନ୍ଦରୀକୁ ବର୍ଷାଧିକ କାଳ ଛୋଟ ଏନକ୍ଲୋଜରରେ ବନ୍ଦୀ କରି ରଖାଯାଇଥିବା ଭଳି ରାଜ୍ୟ ବନ ବିଭାଗର ଚରମ ଅବହେଳା ପାଇଁ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଏନଟିସିଏ । ବଡ କଥା ହେଉଛି, ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇନିଆଯିବାକୁ ଚାଲିଥିଲା ଯୋଜନା ।

ଆଉ ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନେବା ପାଇଁ କଡା ଚିଠି ମଧ୍ୟ ଲେଖି ଜଣାଇଥିଲା ଏନଟିସିଏ । ତେବେ କାହ୍ନା ଅଭୟାରଣ୍ୟରେ ବର୍ତ୍ତମାନ ଦୁଇଟି ବାଘ ରହିଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ପରେ ଯାଇ ସୁନ୍ଦରୀକୁ ସ୍ଥାନାନ୍ତରିତ କରାଯିବ ବୋଲି ଆଜି ଚିଫ ୱାଇଲ୍ଡଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।