ମୁଢି ବ୍ୟବସାୟରୁ ଭଲ ରୋଜଗାର: ମୁଢି ଭଜା ମେସିନ୍ ବସାଇ ମାସକୁ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଶିକ୍ଷିତ ଯୁବକ

293

କନକ ବ୍ୟୁରୋ: ମୁଢି ଦେଉଛି ରୋଜଗାର । ଚାଉଳରୁ ମୁଢି ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ଶିକ୍ଷିତ ଯୁବକ ରଣଜିତ୍ ବେହେରା । ପାଠପଢା ସରିବା ପରେ ଚାକିରୀରୁ ବିଫଳ ହୋଇ ବାହାର ରାଜ୍ୟରେ ଦାଦାନ ଖଟୁଥିଲେ । ହେଲେ ପରିବାର ଲୋକଙ୍କ ଦେଖାଣୁଣା କରିବା ପାଇଁ ଗାଁକୁ ଫେରିଆସିଥିଲେ । ଆଉ କିଛି ବ୍ୟବସାୟ କରିବା ଆଶାରେ ବସାଇଥିଲେ ମୁଢି ଭଜା ମେସିନ୍ । ସମୟକ୍ରମେ ଏହି ବ୍ୟବସାୟରେ ସେ ସଫଳ ହେବା ସହ ମାସକୁ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଏହି କାମରେ ରଣଜିତ୍ଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରୁଛନ୍ତି । ଭଲ ରୋଜଗାର ହେଉଥିବାରୁ ତାଙ୍କ ପରିବାର ମଧ୍ୟ ବେଶ ଖୁସିରେ ଚଳୁଛି ।

ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସ୍ୱାମୀ, ସ୍ତ୍ରୀ ଦୁହେଁ ମୁଢି ଭଜା ମେସିନ୍ରେ କାମ କରନ୍ତି । ବେଳେ ବେଳେ ତାଙ୍କ ବାପା ମଧ୍ୟ ଏହି କାମରେ ତାଙ୍କୁ ସହଯୋଗ କରନ୍ତି । ଦୈନିକ ୩ରୁ ୪କ୍ୱିଂଟାଲ ମୁଢି ଭାଜୁଥିବାବେଳେ ଏଥିପାଇଁ ତାଙ୍କୁ ୬ରୁ ୭ଘଂଟା ସମୟ ଲାଗୁଛି । ଏକ କ୍ୱିଂଟାଲ ମୁଢି ଭାଜିବା ପାଇଁ ୪୫୦ଟଙ୍କାରୁ ୫୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗ୍ରାହକଙ୍କୁ ଏହା ବିକ୍ରି କରି କିଛି ଲାଭ ପାଉଛନ୍ତି ରଣଜିତ୍ ।

ମୁଖ୍ୟତଃ ଉତର ଓଡ଼ିଶା ଲୋକଙ୍କର ପ୍ରିୟ ଖାଦ୍ୟ ହେଉଛି ମୁଢି । ସକାଳ ହେଉ କି ସଂଧ୍ୟା ମୁଢି ଖାଇବାର ଅଭ୍ୟାସ ଏମାନଙ୍କର ରହିଛି । ତେବେ କାଠ ଜାଳ ଓ ସମ୍ପୁର୍ଣ୍ଣ ଦେଶୀ ଷ୍ଟାଇଲରେ ପ୍ରସ୍ତୁତ ହେଉଥିବା ଏହି ମୁଢିର ଅଧିକ ଚାହିଦା ରହିଛି । ତେଣୁ ରଣଜୀତଙ୍କ ମେସିନ୍କୁ ସ୍ଥାନୀୟ ଅଂଚଳର ଲୋକେ ମୁଢି ଭାଜିବା ପାଇଁ ଆସିଥାଆନ୍ତି ।