ଦିନ ମଜୁରିଆରୁ ସଫଳ ବାଇଗଣ ଚାଷୀ: ୬ ଏକର ଜମିରେ ବାଇଗଣ ଚାଷ କରି ଲୋକଙ୍କୁ ଯୋଗାଉଛନ୍ତି ଆହାର

256

କନକ ବ୍ୟୁରୋ: ଦିନ ମଜୁରିଆରୁ ସଫଳ ବାଇଗଣ ଚାଷୀ । ଛଅ ଏକର ଜମିରେ ବାଇଗଣ ଚାଷ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଯୋଗାଉଛନ୍ତି ଆହର । ରାୟଗଡ଼ା ରାମନାଗୁଡ଼ା ବ୍ଲକ ଖାମ୍ବାଗୁଡ଼ା ଗାଁର ଯୁବ ଚାଷୀ ଟୁବୁଲୁ କର୍କରିଆଙ୍କ ଏହି ଚାଷ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ବର୍ତମାନ ସମୟରେ ଅନେକ ବ୍ୟକ୍ତି ଚାଷ କାମରୁ ମୁହଁ ଫେରାଉଛନ୍ତି । ଚାଷ କାମରେ ଅଧିକ ପରିଶ୍ରମ ଭାବି ଚାକିରୀ ପଛରେ ପଡ଼ି ସମୟ ନଷ୍ଟ କରୁଛନ୍ତି । କିନ୍ତୁ ରାୟଗଡ଼ାର ଏହି ଯୁବ ଚାଷୀଙ୍କ ଉଦ୍ୟମ ଏବେ ସ୍ଥାନୀୟ ଅଂଚଳରେ ଉଦାହରଣ ସୃଷ୍ଟି କରିଛି । ଏକର ପିଛା ୨୦ରୁ ୨୫ ହଜାର ଟଙ୍କା ବିନିଯୋଗ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସେ ସକ୍ଷମ ହୋଇଛନ୍ତି । ଉତ୍ପାଦିତ ଫସଲକୁ ରାମନାଗୁଡ଼ା, ପଦ୍ମପୁର ଓ ବ୍ରହ୍ମପୁରରେ ବିକ୍ରି କରୁଛନ୍ତି ଟୁବୁଲୁ ।

ନିଜେ ଚାଷ କରିବା ସହ ଚାଷ କାମରେ ସ୍ଥାନୀୟ ଅଂଚଳ କିଛି ଲୋକଙ୍କୁ ମଧ୍ୟ ଏହା ଦ୍ୱାରା କାମ ମିଳିପାରୁଛି । ଜମିର କୋଡ଼ା ଖୋସା କରିବା, ଘାସ ବାଛିବା, ଗଛର ଯତ୍ନ ନେବା ଏବଂ ବାଇଗଣ ତୋଳିବା କାମରେ ନିୟୋଜିତ ହୋଇ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ନିଜ ଅଂଚଳର ଲୋକେ । ଅନ୍ୟପଟେ ଟୁବୁଲୁଙ୍କ ଚାଷ ପ୍ରତି ଥିବା ଆଗ୍ରହକୁ ଦେଖି ସହାୟତାର ହାତ ବଢାଇଛନ୍ତି ଉଦ୍ୟାନ ବିଭାଗ । ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ହେକ୍ଟର ପ୍ରତି ୨୦ ହଜାର ଟଙ୍କାର ସହାୟତା ମିଳିଥିବା ବେଳେ ଏହାଦ୍ୱାରା ଟୁବୁଲୁ ବେଶ ଉପକୃତ ହୋଇପାରିଛନ୍ତି ।

ଦିନେ ଦିନ ମଜୁରିଆ ଭାବେ ଅନ୍ୟ ପାଖରେ କାମ କରୁଥିଲେ । ଆଉ ଏବେ ନିଜସ୍ୱ ଉଦ୍ୟମରେ ଲକ୍ଷପତି । ଚାଷ କରି ଆତ୍ମନିର୍ଭର ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିଛନ୍ତି ଯୁବଚାଷୀ ଟୁବୁଲୁ ।