ଚାଷୀ ମରେ କାହିଁକି! ଉନ୍ନତି ବଦଳରେ ଚାଷ ଆଣୁଛି ବିପତି

53

କନକ ବ୍ୟୁରୋ : କାହିଁକି ଆତ୍ମହତ୍ୟା କରୁଛି ରାଜ୍ୟର ଚାଷୀ? ଏହାକୁ ନେଇ ଅନେକ ବାକ ବିତଣ୍ଡା । ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବାକୁ ସରକାର ନାରାଜ । ହେଲେ ବରଗଡରେ ମଙ୍ଗଳବାର କାହିଁକି ବିଷ ପିଇଦେଲେ ଖଏନୁ ବଗର୍ତୀ ? ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବିଜୁଳି ନଥିବାରୁ ବିଲକୁ ମାଡିପାରିଲାନି ପାଣି । ଆଉ ଆଖି ଆଗରେ କ୍ଷେତ ଉଜୁଡି ଯାଉଥିବା ଦେଖି ଜୀବନ ହାରିଦେଲେ ଖଏନୁ । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଚାଷ ଓ ଚାଷୀ ପ୍ରତି ସରକାରଙ୍କ ଉଦାସୀନତା ଉପରେ ଉଠିଛି ପ୍ରଶ୍ନ ।

ଖଏନୁ ବଗର୍ତି । ବରଗଡ କେନପାଲି ଗାଁର ଚାଷୀ । କୀଟନାଶକ ପିଇ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ପୁଣି ବରଗଡ ଜିଲ୍ଲାରୁ ବର୍ଷର ପ୍ରଥମ ଆତ୍ମହତ୍ୟା ଖବର ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା । ହେଲେ କ’ଣ ପାଇଁ ଆତ୍ମହତ୍ୟା କଲେ ଖଏନୁ? କେଉଁ ପରିସ୍ଥିତି ତାଙ୍କୁ ଜୀବନ ହାରିଦେବାକୁ ବାଧ୍ୟ କଲା?

 

ଖଏନୁଙ୍କ କ୍ଷେତରେ ମାଟି ଫାଟି ଆଁ କରିଛି । ଶୁଖିଲା ପଡିଛି ସୁନାର ଫସଲ । ତିନି ଏକର ଜମିରେ ପରିବା ଓ ଧାନ ଚାଷ କରିଥିଲେ ସେ । ସମବାୟ ସମିତିରୁ ଲୋନ ଓ ହାତ ଉଧାରି ୫୦ ହଜାର ଟଙ୍କା ଆଣି ଜମିରେ ଲଗାଇଥିଲେ । ସାର, ଖତ ଦେଇ ମଞ୍ଜି ବୁଣିଦେଲେ, ଦିନରାତି ଏକ କରି ମେହନତ ବି କଲେ । ହେଲେ ପାଣି ବିନା କଣ ଫସଲ ସମ୍ଭବ । ବିଜୁଳି ନଥିବାରୁ ବିଲରେ ମାଡି ପାରିଲାନି ପାଣି । ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଶୁଖିଗଲା ଗଛ । ବିଜୁଳି ପାଇଁ ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣିଲେନି । ନିଜ ଆଖି ଆଗରେ ଉଜୁଡି ଯାଉଥିବା କ୍ଷେତକୁ ଦେଖି ଆଉ ସହିପାରିଲେନି । ଜୀବନ ହାରିଦେଲେ ।

ଅଧିକ ଅମଳ ପାଇଁ ଓଡିଶା ସରକାର ବାରମ୍ବାର ପାଉଛନ୍ତି କୃଷି କର୍ମଣ ପୁରସ୍କାର । ପ୍ରତିଥର କୃଷି ଓ କୃଷକର ଉନ୍ନତି, ବିଶେଷ କରି ଜଳସେଚନ ବାବଦରେ ବଡ ବଜେଟ ବ୍ୟବସ୍ଥା କରୁଛନ୍ତି । ହେଲେ ବିଦ୍ୟୁତ ବିଭାଗର ଅବହେଳାରୁ ବରଗଡରେ ଚାଷୀ ଜୀବନ ହାରିଦେବା ପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖଏନୁଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ସେପଟେ ବରଗଡ ଚାଷୀ ଆତ୍ମହତ୍ୟାକୁ ନେଇ ବିଧାନସଭାରେ ଅଚଳାବସ୍ଥା । ବାରମ୍ବାର ଗୃହ ମୁଲତବି । ଚାଷୀ ଆତ୍ମହତ୍ୟାକୁ ନେଇ ବିଧାୟକ ତଥା ବିଜେଡି କୃଷକ ସେଲ୍ ଆବାହକ ସୁଶାନ୍ତ ସିଂ ଆଜି ଜବାବ ରଖିଛନ୍ତି । କହିଛନ୍ତି, ଚାଷୀ ଆତ୍ମହତ୍ୟା କରୁଛନ୍ତି । ହେଲେ ପ୍ରକୃତ କାରଣ କଣ ତାର ତଦନ୍ତ ଆବଶ୍ୟକ । ସେପଟେ ଚାଷୀ ଆତ୍ମହତ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ।