ଓଡ଼ିଶାରେ ସଭା କରିବେ ମୋଦୀ ଓ ଶାହା, ୨୦୨୪ ନିର୍ବାଚନ ପାଇଁ ୨ ସୂତ୍ରୀ ଫର୍ମୁଲାରେ କାମ କରିବ ବିଜେପି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

166

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ବିଜେପିର ରଣନୀତି କଣ ରହିବ? ଏନେଇ ଆଜି ୨ ସୂତ୍ରୀ ଫର୍ମୁଲା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ବିଜେଡିକୁ ଓଡ଼ିଶାରେ କିଭଳି ମୁକାବିଲା କରାଯିବ ଓ ବିଜେପି କେଉଁ ଦିଗକୁ ଅଧିକ ଫୋକସ ଦେବ ସେନେଇ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର । ଦଳର ଏଜେଣ୍ଡାରେ ଥିବା ୨ ସୂତ୍ରୀ ଫର୍ମୁଲାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ୨୦୨୩ ବିଜେପି ପାଇଁ ଏବଂ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଆଗୁଆ ନିର୍ବାଚନ କଥା ବି ଶୁଣିବାକୁ ମିଳୁଛି । ନିର୍ବାଚନ ଯେବେ ହେଉ ଗୋଟେ ଦାୟିତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ଦଳ ହିସାବରେ ବିଜେପିର ଦୁଇଟି କାମ ଅଛି । ପ୍ରଥମତଃ ସ୍ଥାନୀୟ ସରକାର ବିରୁଦ୍ଧରେ ଯେଉ ଅବ୍ୟବସ୍ଥାର ଅସନ୍ତୋଷର ବାତାବରଣ ଅଛି ତାର ସ୍ୱର ସାଜିବ ବିଜେପି । ସେହିଭଳି ଗରିବ, ପଛୁଆ ଅନୁସୂଚିତ ଜାତି ଜନଜାତି ମହିଳା, ଯୁବକଙ୍କ ରୋଜଗାର ପାଇଁ ପ୍ରତିନିଧିତ୍ବ କରିବ ଦଳ । ଦ୍ଵିତୀୟରେ ସୁଦୃଢ ସଂଗଠନର ଆବଶ୍ୟକତା ଅଛି । ଓଡିଶାରେ ୩୭ହାଜର ବୁଥରେ ସଂଗଠନକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆହୁରି ମଜବୁତ କରିବାକୁ ପଡିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିଭଳି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ନବୀନ ସରକାର କିଏ ଚଳାଉଛି ବୋଲି ଯେଉଁ ବାଣ ମାରିଥିଲେ ତାହାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଏହି ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଦଳ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରୁଛି । ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରବାସ ମାଧ୍ୟମରେ ଲୋକଙ୍କ ପାଖରେ ଏହା ପହଞ୍ଚାଯିବ ।

ଏହାବାଦ୍ ଧର୍ମେନ୍ଦ୍ର କହିଛନ୍ତି, ଆଗକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟକୁ ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପିର କେବଳ ଲୋକସଭା ଆସନ ଉପରେ ନୁହେଁ ବରଂ ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ବିକାଶ ଉପରେ ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଆଉ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନ ହିଁ ଦର୍ଶାଉଛି ଆଗାମୀ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି ।