ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଡିଇଓ ଅଫିସ ଆକାଉଣ୍ଟାଣ୍ଟ : ମଧ୍ୟାହ୍ନ ଭୋଜନ ବିଲ କରାଇଦେବାକୁ ଲକ୍ଷେ ଟଙ୍କା ନେଉଥିଲେ ଲାଞ୍ଚ
କନକ ବ୍ୟୁରୋ : ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରିପଡ଼ିଲେ ଅଧିକାରୀ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧୀକାରୀ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ତଥା ଏମଡିଏମ ପ୍ରୋଗାମର ଭାବେ କାର୍ଯ୍ୟକରୁଥିବା ବିକାଶ ସାନା ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ସେ ତିନି ମାସର ବିଲ କରାଇଦେବାକୁ କହି ଏମଡିଏମ ଚାଉଳ ବଣ୍ଟନ କରିବାକୁ ଚୁକ୍ତି କରିଥିବା ଠିକାଦାରଙ୍କ ପ୍ରତିନିଧିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ତାଙ୍କୁ ଧରିଥିଲେ । ସମ୍ପୃକ୍ତ ଅଧିକାରୀଙ୍କୁ ଅଟକ ରଖାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ପାଇଁ ପରିବହନ ଠିକାଦାର ମୋହନ ଚୌରାସିଆଙ୍କ ପ୍ରାୟ ୧୦ ଲକ୍ଷ ଟଙ୍କା ବିଲ୍ ଓ ୨ ଲକ୍ଷ ଟଙ୍କା ଅମାନତ ରାଶି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବକେୟା ରହିଥିଲା । ଏହି ବିଲ୍ କରାଇଦେବା ପାଇଁ ବିକାଶ ସାନା କୁଆଡେ ୨ ଲକ୍ଷ ଟଙ୍କା ଠିକାଦାରଙ୍କୁ ମାଗିଥିଲେ । ସେ ଏ ନେଇ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ । ତେବେ ବିଲ୍ କରାଇଦେବା ନେଇ ୧ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା ।
ଗତକାଲି ସଂଧ୍ୟା ସମୟରେ ଠିକାଦାର ର କର୍ମଚାରୀ କିରନ ପଟ୍ଟନାୟକ ପୂର୍ବ ଡିଲ୍ ମୁତାବକ ୧ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେ କାର୍ଯ୍ୟାଳୟରେ ୧ ଲକ୍ଷ ଟଙ୍କା ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସର ଅଧିକାରୀମାନେ ଟଙ୍କା ସହ ସାନାଙ୍କୁ କାବୁ କରିଥିଲେ । ବିକାଶ ସାନା ଭିଜିଲାନ୍ସ ହାତରେ ଧରାପଡିବା ପରେ ଭିଜିଲାନସ୍ ବିଭାଗ ଡିଇଓ କାର୍ଯ୍ୟାଳୟ, ନବରଙ୍ଗପୁର ଠାରେ ସେ ରହୁଥିବା ଭଡା ଘର ଓ ତାଙ୍କର ପୈତିୃକ ବାସଭବନ ଉମରକୋଟ ନିକଟସ୍ଥ ସିଲାଟିରେ ଚଢ଼ଉ କରିଥିଲେ ।