ଦିଲ୍ଲୀରେ ଜ୍ଞାନବାପୀ ମସଜିଦ ବିବାଦ ତାତି । ବିବାଦୀୟ ବୟାନ ପାଇଁ ଗିରଫ ପରେ ଜାମିନ ପାଇଲେ ପ୍ରଫେସର ।

129

କନକ ବ୍ୟୁରୋ: ଦିଲ୍ଲୀରେ ଜ୍ଞାନବାପୀ ମସଜିଦ ବିବାଦ ତାତି । ବିବାଦୀୟ ବୟାନ ପାଇଁ ପ୍ରଫେସର ଗିରଫ । ରାସ୍ତାକୁ ଓହ୍ଲାଇଲା ଛାତ୍ରସଂଗଠନ । ଦିଲ୍ଲୀ ପୁଲିସ ସାଇବର ସେଲ ସମ୍ମୁଖରେ ଛାତ୍ର ସଂଗଠନର ହଲ୍ଲାବୋଲ । ନାରାବାଜୀ, ଦାବି ସହ ହାତରେ ପ୍ଲାକାର୍ଡ ଧରି କରୁଛନ୍ତି ଜୋରଦାର ବିକ୍ଷୋଭ । ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ବିଳମ୍ବିତ ରାତିରୁ ଏଭଳି କିଛି ଘଟଣା ଆରମ୍ଭ ହୋଇଛି । ଜ୍ଞାନବାପୀ ମସଜିଦ ମାମଲାରେ ଆପତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ରତନ ଲାଲ । ପରେ ତାଙ୍କୁ ମୁକଳାଇବା ପାଇଁ ଦିଲ୍ଲୀ ପୁଲିସର ସାଇବର ସେଲ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରଦର୍ଶନ କରି ଦାବି ଜଣାଇଥିଲେ ଷ୍ଟୁଡେଂଟ ଫେଡେରେସନ ଅଫ ଇଣ୍ଡ୍ରି୍ରଆ ଓ ଇଣ୍ଡିଆନ ଷ୍ଟୁଡେଂଟ ଆସୋସିଏସନ । ପରେ ଅବଶ୍ୟ ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ତାଙ୍କୁ ଜାମିନ ମିଳିଛି ।

ନଜର ପକାଇବା ପୂରା ଘଟଣା ଉପରେ…
ଜ୍ଞାନବାପୀ ମସଜିଦ ପରିସରରୁ ଜବତ ହୋଇଥିବା ଶିବଲିଙ୍ଗର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଡିୟୁର ଆସିଷ୍ଟାଂଟ ପ୍ରଫେସର ରତନଲାଲ । ବିବାଦୀୟ ଟିପ୍ପଣି ଦେବା ଏକ କଟାକ୍ଷ ଏମୋଜୀ ବି ପୋଷ୍ଟ କରିଥିଲେ । କ୍ରମଶ ଏହାକ ଭାଇରାଲ ହେବା ସହ ସମାଲୋଚନାକୁ ଘେରକୁ ଆସିଥିଲେ ପ୍ରଫେସର । ମେ ୧୮ରେ ସୁପ୍ରିମକୋର୍ଟ ଆଇନଜୀବୀ ବିନିତ ଜିନ୍ଦଲ ଦିଲ୍ଲୀ ପୁଲିସର ସାଇବର ସେଲରେ ଅଭିଯୋଗ ଆଣିଥିଲେ । ମେ ୨୦ ମଧ୍ୟ ରାତ୍ରରେ ରତନ ଲାଲଙ୍କୁ ଗିରଫ କରାଯାଇଥିଲା ।

ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି । କଂଗ୍ରେସ ନେତା ଦିଗବିଜୟ ସିଂ ଓ ଆପ ସାଂସଦ ସଂଜୟ ସିଂ ଘଟଣାକୁ ନିନ୍ଦା କରିଛନ୍ତି । ଆପ କହିଛି ଦେଶରେ ଦଳିତଙ୍କ ଉପରେ ହେଉଥିବା ଅନ୍ୟାୟର ଏହା ତାଜା ଉଦାହରଣ । ସେପଟେ କଂଗ୍ରେସ କହିଛି ଦେଶବାସୀଙ୍କୁ ନିଜ ବିଚାର ଉପସ୍ଥାପନା କରିବା ଅଧିକାର ରହିଛି ।

ଗୋଟେ ପଟେ କାଠଗଡାରେ ମସଜିଦ ମାମଲା ଅନ୍ୟପଟେ ଶିକ୍ଷାନୁଷ୍ଠାନରେ ପ୍ରତିବାଦର ନିଆଁ । ଏଭଳି ସ୍ଥିତିରେ ପ୍ରଫେସରଙ୍କ ଗିରଫ ମାମଲାକୁ ନେଇ ରାଜନୀତି ଜୋର ଧରିଛି । ପ୍ରଶ୍ନ ଉଠୁଛି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ଭୂମିକା ପ୍ରକୃତରେ କଣ ରହିବା ଉଚିତ?