ଜନତା ମଇଦାନରେ ‘ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟର’ ପକ୍ଷରୁ ଉଦଘାଟିତ ହେଲା ‘ନବରାତ୍ରୀ ଦାଣ୍ଡିଆ ମହୋତ୍ସବ-୨୦୧୭’ !

88

କନକ ବ୍ୟୁରୋ : ମା’ଙ୍କ ସ୍ତୁତି ‘ଯା ଦେବୀ ସର୍ବଭୁତେଷୁ…..’ ଭାସି ଆସୁଥିଲା ମଞ୍ଚ ଉପରୁ । ଧୂପ, ଦ୍ୱୀପ, ଅଗରୁ ଓ ଚନ୍ଦନରେ ମହକୁ ଥିଲା ପରିବେଶ । ଚଳଚଞ୍ଚଳ ଥିଲେ ଭକ୍ତ ସମାଜ। ପରିବେଶର ନିଆରାପଣ ସୂଚାଇ ଦେଉଥିଲା ମା’ଙ୍କ ଆଗମନର । ନବରାତ୍ର ଆସୁ ଆସୁ ଘଣ୍ଟ, ହୁଳହୁଳି ଓ କୀର୍ତ୍ତନରେ ମା’ଙ୍କୁ ପାଛୋଟି ଅଣାଯାଇଥିଲା । ଏହାସହ ମା’ଙ୍କ ପ୍ରିୟ ନୃତ୍ୟ ଦାଣ୍ଡିଆ ପାଇଁ ବି ମଞ୍ଚ ଓ ନୃତ୍ୟଶିଳ୍ପୀମାନେ ବି ପ୍ରସ୍ତୁତ ହୋଇଯାଇଥିଲେ । ଏହି ଭଳି କିଛି ନିଆରା ପରିବେଶ ଥିଲା ଆଜି ଜନତା ମଇଦାନରେ ।

ଏମିତି ପରିବେଶରେ ‘ଓଡ଼ିଶା ଇଣ୍ଟରନ୍ୟାସନାଲ୍‌ ସେଣ୍ଟର’ ପକ୍ଷରୁ ଗତକାଲି ‘ନବରାତ୍ରୀ ଦାଣ୍ଡିଆ ମହୋତ୍ସବ-୨୦୧୭’ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଉଦଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମେମୋରି କ୍ୱିନ୍‌ ନିତ୍ୟା ସେନାପତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ସୁଶୀଲ ଦାସ, ସ୍ୱାମୀ ଶଙ୍କରାନନ୍ଦ ଗିରି, ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଉପସ୍ଥିତ ଥିଲେ ।

ଏହି ଅବସରରେ ନିହାରିକା ପଟ୍ଟନାୟକ, ଜୟନ୍ତୀ ମହାପାତ୍ର, ବ୍ରହ୍ମାକୁମାରୀ ମଞ୍ଜୁ, ଶୈଳଭାମା ମହାପାତ୍ର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ବିଶ୍ୱେଶ୍ୱରୀ ମହାନ୍ତି, ରୋଜାଲିନ୍‌ ପାଟ୍ଟଶାଣୀ, ମଞ୍ଜୁ ରାୟ ଓ ମୀରା ପଣ୍ଡା ପ୍ରମୁଖଙ୍କୁ ‘ସାମ୍ଭବୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ପଲ୍ଲୀ ଉନ୍ନୟନ ସେବା ସମିତିର ବାଳିକାମାନେ ‘ଶୁଭ୍‌ ଆରମ୍ଭ’ ଗୀତରେ ଦାଣ୍ଡିଆ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ‘ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍‌ ସେଣ୍ଟର’ର ସଭାପତି ପରେଶ ନାୟକ ଓ ଦାଣ୍ଡିଆ ଉତ୍ସବର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଚିସ୍ମିତା ପୃଷ୍ଟି ପରିଚାଳନା କରିଥିଲେ । ଶ୍ରୀନିବାସ ଘଟୁଆରି ମଞ୍ଚ ସଂଯୋଜନା କରିଥିଲେ ।