ସିଲଭର ସିଟିକୁ ଅସ୍ତବ୍ୟସ୍ତ କଲେଣି ସାଇବର ଠକ । ବର୍ଷକରେ ଠକିଛନ୍ତି ୨ କୋଟି ଟଙ୍କା, ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ପୋଲିସ ।

85

କନକ ବ୍ୟୁରୋ : କରୋନା କାଳରେ କଟକ ସହରର ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିଦେଲେଣି ସାଇବର୍ ଅପରାଧୀ। ୨୦୨୧ ବର୍ଷରେ ୨ କୋଟି ଟଙ୍କା କେବଳ କଟକ ସହରରୁ ଠକି ନେଲେଣି। ସାଇବର୍ ଅପରାଧୀଙ୍କ ଆର୍ଥିକ ଅପରାଧ ବାଦ୍ କଲେଜ ଓ ସ୍କୁଲ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍ କରିବା ଅଭିଭାବକଙ୍କ ପାଇଁ ଅଧିକ ଚିନ୍ତାଜନକ ହୋଇଛି। ଏଭଳି ଅପରାଧର ଦମନ କରିବା ପାଇଁ କଟକ ସହରର ସମସ୍ତ ସ୍କୁଲ ଓ କଲେଜରେ ଗୋଟିଏ ଲେଖାଏଁ ସାଇବର୍ କ୍ଲବ୍ ଗଠନ କରାଯିବ। ଏହି କ୍ଲବ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସାଇବର୍ ସଚେତନତାର ପାଠ ପଢ଼ାଯିବାକୁ କଟକ କମିସନରେଟ୍ ପୁଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି। ସହରର ସମସ୍ତ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏ ସଂକ୍ରାନ୍ତରେ ଚିଠି ହୋଇଥିବା ବେଳେ ଖୁବ ଶୀଘ୍ର ଏହି କ୍ଲବ କଟକ ସହରରେ ଆରମ୍ଭ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, ଅର୍ଥ ଜନିତ ସାଇବର୍ ଅପରାଧ ବାଦ୍ ଏବେ ବିଭିନ୍ନ ସୋସିଆଲ୍ ମିଡିଆ ଆପ୍ଲିକେସନ୍ ମାଧ୍ୟମରେ ରାଜ୍ୟ ବାହାରର ସାଇବର୍ ଅପରାଧୀ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ବନ୍ଧୁତା ଯୋଡ଼ି ସେମାନଙ୍କ ନଗ୍ନ ଭିଡିଓ ଅନଲାଇନରେ ରେକର୍ଡ କରି ବ୍ଲାକ୍ ମେଲ୍ କରୁଛନ୍ତି।

୨୦୨୧ ଅକ୍ଟୋବର ୩୧ ତାରିଖରେ ସିଡିଏ ଫେଜ୍ ୨ ଥାନା ପୁଲିସ ବିହାରର ୨୦ ବର୍ଷୀୟ ପ୍ରକାଶ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସିଡିଏ ଫେଜ୍ ୨ ଅଞ୍ଚଳର ଜଣେ ସ୍କୁଲ ଛାତ୍ରୀଙ୍କ ସହିତ ଲାଇକ୍ ଆପ୍ ମାଧ୍ୟମରେ ସମ୍ପର୍କ ଯୋଡ଼ି ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲା। ପରେ ବ୍ଲାକ୍ ମେଲ୍ କରିଥିବା ଅଭିଯୋଗ ହୋଇଥିଲା। ଏଭଳି ଏକାଧିକ ମାମଲା କଟକ କମିସନରେଟ୍ ପୁଲିସରେ ହୋଇଛି। ଛାତ୍ରୀଙ୍କ ପ୍ରସଙ୍ଗ ସମ୍ବେଦନଶୀଳ ହୋଇଥିବାରୁ କଟକ କମିସନରେଟ୍ ପୁଲିସରେ ପ୍ରତ୍ୟେକ ସ୍କୁଲ ଓ କଲେଜରେ ଗଠନ କରିବ ସାଇବର୍ କ୍ଲବ। ପ୍ରତି ସ୍କୁଲରେ ଏହି କ୍ଲବରେ ଦୁଇ ଜଣ ଶିକ୍ଷକ ସଦସ୍ୟ ରହିବେ। ଏମାନଙ୍କ ସହିତ ତିନି ଜଣ ଛାତ୍ର ଓ ସ୍ଥାନୀୟ ଥାନାର ଜଣେ ପୁଲିସ ଅଫିସର ରହିବେ। ସ୍କୁଲରେ ସେକ୍ସନ ଭିତ୍ତିରେ ପ୍ରତି ମାସରେ ଏହି ବୈଠକ କରାଯିବ। ସେହିଭଳି କଲେଜରେ ମଧ୍ୟ ଏଭଳି ପଦକ୍ଷେପ ନିଆଯିବ।

ଏହି କ୍ଲବରେ ଥିବା ପୁଲିସ ଅଧିକାରୀ କମ୍ପ୍ୟୁଟର କ୍ଲାସରେ ୧୫ ମିନିଟର ସାଇବର ସଚେତନତା ସଂକ୍ରାନ୍ତ ଭିଡିଓ ଦେଖାଇବେ। ଅଶ୍ଳୀଳ ଭିଡିଓ ଏବଂ ଫଟୋ କାରବାରରେ ଛାତ୍ରୀ ଫସୁଥିବାରୁ ଏଭଳି ସାଇବର୍ କ୍ଲବ କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି। ଡିସିପିଙ୍କ ଅଫିସରୁ ଏ ସଂକ୍ରାନ୍ତରେ ସମସ୍ତ ଥାନାକୁ ଚିଠି ହୋଇଛି। ଥାନା ଜରିଆରରେ ନିଜ ଅଞ୍ଚଳରେ ଥିବା ସ୍କୁଲ ଏବଂ କଲେଜରେ ସାଇବର୍ କ୍ଲବ ଗଠନ ପାଇଁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ୨୦୨୧ ବର୍ଷର ସାଇବର୍ ଅପରାଧ ରିପୋର୍ଟ ଯଦି ଦେଖାଯାଏ ତେବେ ମୋଟ ୩୪୪ଟି ସାଇବର୍ ଅପରାଧ ମାମଲା ରୁଜୁ ହୋଇଛି। ସାଇବର୍ ଅପରାଧୀମାନେ ମୋଟ ୨ କୋଟି ୮ ଲକ୍ଷ ୫୫ ହଜାର ୮୭୦ ଟଙ୍କା ଠକି ନେଇଛନ୍ତି। କେବଳ ଡିସିପିଙ୍କ ସାଇବର୍ ହେଲପ୍ ଡେସ୍କକୁ ୬୮ଟି ଅଭିଯୋଗ ଆସିଛି। ଏଥିରେ ୬୫ ଲକ୍ଷ ୮୮ ହଜାର ୪୦୩ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ଠକେଇ ପରିମାଣରୁ ହେଲପ୍ ଡେସ୍କ ମୋଟ ୪୪ ଲକ୍ଷ ୫ହଜାର ୪୪୨ ଟଙ୍କା ଅଭିଯୋଗକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର୍ ଅପରାଧୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର ପୂର୍ବରୁ ବ୍ଲକ କରି ଟଙ୍କା ଜବତ କରିବାରେ ହେଲପ୍ ଡେସ୍କ ସକ୍ଷମ ହୋଇଛି।

ସାଇବର୍ ହେଲପ୍ ଡେସ୍କକୁ ଆସୁଥିବା ଅଭିଯୋଗ ଗୁଡ଼ିକ ଟଙ୍କା ଠକେଇର ୨୪ ଘଣ୍ଟା ଭିତରେ ହୋଇଥିବାରୁ ଟଙ୍କା ଜବତ କରିବା ସହଜ ହୋଇଛି। କିନ୍ତୁ ଯେଉଁ ମାମଲା ୨୪ ଘଣ୍ଟା ବାଦ୍ ଥାନାକୁ ଆସିଛି, ସେହି ମାମଲାରେ ଟଙ୍କା ଫେରସ୍ତ କରିବା ସମ୍ଭବପର ହୋଇପାରି ନାହିଁ। ଅଭିଯୁକ୍ତର ବ୍ୟାଙ୍କ୍ ଆକାଉଣ୍ଟରୁ କୌଣସି ଉପାୟରେ ଟଙ୍କା ଆସିପାରିବ ନାହିଁ। କେବଳ କୋର୍ଟରେ ମାମଲାର ଶୁଣାଣି ପରେ ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇପାରିବ। ଏହିଭଳି ଆର୍ଥିକ ଅପରାଧ ବାଦ୍ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ଭାଇରାଲ୍ ପୁଲିସ ପାଇଁ ବଡ଼ ଆହ୍ବାନ ହୋଇଛି। ଏହି ସାଇବର୍ ଅପରାଧୀମାନେ ମୁଖ୍ୟତଃ ଝାଡ଼ଖଣ୍ଡର ଜାମତାରା, ଗୁରୁଗାଓଁ, ଦିଲ୍ଲୀ, ହରିଆନା, ବିହାର, ପଶ୍ଚିମବଙ୍ଗରୁ ଅପରାଧ ନିୟନ୍ତ୍ରଣ କରୁଥିବା କୁହାଯାଉଛି। ତେଣୁ ଶିକ୍ଷାନୁଷ୍ଠାନରେ ଏ ଦିଗରେ ସତର୍କ ରହିବା ପାଇଁ କଟକ କମିସନରେଟ୍ ପୁଲିସ ସଚେତନା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି।