୨୫ ଟଙ୍କା ପାଇଁ ଆମେରିକାରୁ ଭାରତ ଆସିଲେ , ୧୧ ବର୍ଷ ପରେ ଧାର ସୁଝିଲେ ଭାଇ ଭଉଣୀ ।

747

କନକ ବ୍ୟୁରୋ: ପିଲାବେଳେ ବାପାଙ୍କ ସହ ସମୁଦ୍ର କୂଳ  ବୁଲି ଯାଇଥିବାବେଳେ ବାଦାମ ଖାଇଥିଲେ । ହେଲେ ବାପା ଘରେ ପର୍ସ ଭୁଲିଯାଇଥିବାରୁ ବାଦାମ ବାଲାଠାରୁ ବାକିରେ ୨୫ ଟଙ୍କାର ବାଦାମ ଖାଇଥିଲେ । ସମୟ କ୍ରମେ ଉଚ୍ଚ ଶିକ୍ଷିତ ହୋଇ ବିଦେଶ ଚାଲିଯାଇଥିଲେ । ହେଲେ ସେଠିକାର ଚାକଚକ୍ୟ ଭିତରେ ବି ମନେପଡିଥିଲା ପିଲାବେଳେ ବାଦାମବାଲା ଠାରୁ ବାକିରେ ବାଦାମ ଖାଇବା କଥା । ସେଇ ମାତ୍ର ୨୫ ଟଙ୍କା ଫେରାଇବାକୁ ସୁଦୂର ଆମେରିକାରୁ ଭାରତ ଆସିଲେ ଭାଇଭଉଣୀ ।

୨୦୧୦ ମସିହାର କଥା । ନେମାନି ପ୍ରଣବ ଏବଂ ତାଙ୍କ ଭଉଣୀ ସୁଚିତା ସେମାନଙ୍କ ବାପାଙ୍କ ସହ ଆନ୍ଧ୍ରପ୍ରଦେଶର ୟୁ କୋଥାପାଲ୍ଲି ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ସମୁଦ୍ର କୂଳରେ ବାଦାମ ଖାଇବାକୁ ଦୁହିଁଙ୍କର ମନ ହୋଇଥିଲା । ସେଠାରେ  ସତ୍ତାୟା ନାମକ ଜଣେ ବାଦାମବେପାରୀଙ୍କ ପାଖରୁ ବାଦାମ କିଣିଥିଲେ । ହେଲେ ପକେଟ ଦରାଣ୍ଡିବା ବେଳକୁ ପଇସା ନାହିଁ । ଘରେ ପର୍ସ ଛାଡିଯାଇଥିଲେ ବାପା । ପିଲାମାନଙ୍କ ଜିଦି ଦେଖି ବାଦାମ କିଣିଲେ ଆଉ ବାଦାମ ବିକାଳିକୁ ଅନୁରୋଧ କରି କହିଲେ ଯେ ସେ ଖୁବ ଶୀଘ୍ର ବାଦାମ ଟଙ୍କା ଦେଇଦେବେ । ହେଲେ ବାଦାମବାଲାକୁ ଦେଇଥିବା ପ୍ରତିଶ୍ରୁତି କିନ୍ତୁ ରଖିପାରିନଥିଲେ ବାପା ମୋହନ ।

ମୋହନ ଜଣେ ଏନଆରଆଇ ଥିଲେ ଏବଂ କିଛି ଦିନ ପରେ ତାଙ୍କୁ ଆମେରିକା ଫେରିଯାଇଥିଲେ । ହେଲେ ବାପାଙ୍କ ଏହି ପ୍ରତିଶ୍ରୁତିକୁ ଭୁଲିନଥିଲେ ଉଭୟ ଭାଇ-ଭଉଣୀ । ଠିକ ସେଥିପାଇଁ ପ୍ରାୟ ୧୧ ବର୍ଷ ପରେ ନେମାନି ତାଙ୍କ ଭଉଣୀ ସୁଚିତାଙ୍କ ସହ ଭାରତ ଆସି ବାଦାମ ବେପାରୀଙ୍କୁ ଖୋଜି ଋଣ ପରିଶୋଧ କରିବାକୁ ସ୍ଥିର କଲେ । ଏହା ପରେ ଉଭୟ ଭାଇ-ଭଉଣୀ ସତ୍ତାୟାଙ୍କୁ ଖୋଜିବା ପାଇଁ ଆନ୍ଧ୍ରପ୍ରଦେଶ କାକିନାଡା ସହରର ବିଧାୟକ ଚନ୍ଦ୍ରଶେଖର ରେଡ୍ଡୀଙ୍କ ସାହାଯ୍ୟ ନେଇଥିଲେ।

ମୋହନଙ୍କ ଅନୁରୋଧ ପରେ ବିଧାୟକ ସଙ୍ଗେ ସଙ୍ଗେ ଫେସବୁକରେ ଏକ ପୋଷ୍ଟ କରିଥିଲେ, ଯାହା ପରେ ତାଙ୍କ ଜନ୍ମ ଗ୍ରାମ ନାଗୁଲାପାଲିର କିଛି ଲୋକ ବିଧାୟକଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଗ୍ରାମବାସୀ କହିଥିଲେ ଯେ ସତ୍ତାୟା ଆଉ ଏହି ଦୁନିଆରେ ନାହାଁନ୍ତି । ଏହା ।ୁଣିବା ପରେ ୨୫ ଟଙ୍କା ନୁହେଁ ବରଂ ତାଙ୍କ ପରିବାରକୁ ୨୫ ହଜାର ଟଙ୍କା ଦେଇଥିଲେ ପ୍ରଣବ ଓ ସୁଚିତା  ।