ମୃତ୍ୟୁକୁ ମାତ ଦେଇଥିବା ଆଉ ଏକ ବୀର ଯବାନଙ୍କ କାହାଣୀ ! ନକ୍ସଲଙ୍କ ସହ ଲଢି ହରାଇଥିଲେ ଆଖି, ଏବେ ପଲିଥିନରେ ଝୁଲୁଛି ଯବାନଙ୍କ ଜୀବନ

58

“ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ” ଏହି ଲୋକବାଣୀଟି ମଧ୍ୟପ୍ରଦେଶର ମୁରେନାଠାରେ ରହୁଥିବା ବୀର ଯବାନ ସିଆରପିଏଫ ମନୋଜ ତୋମାରଙ୍କ ଜୀବନକୁ ସୁଚାଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ମାଓବାଦୀଙ୍କ ଆକ୍ରମଣରେ ତାଙ୍କ ଦେହରେ ୭ଟି ଗୁଳି ବାଜିଥିଲା । ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ମନୋଜ କିନ୍ତୁ ମୃତ୍ୟୁ ଆଗରେ ହାର ମାନି ନଥିଲେ । କିନ୍ତୁ ଏବେ ସେ ବିତାଉଥିବା ଜୀବନୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖଟି ମନୋଜଙ୍କ ସମେତ ତାଙ୍କ ୧୧ ସିଆରପିଏଫ ଯବାନ ସାଥିଙ୍କ ପାଇଁ କଳା ଦିବସ ହୋଇ ଆସିଥିଲା । ଛତିଶଗଡ ସୁକମାରେ ଥିବା ସମୟରେ ମନୋଜ ଏବଂ ତାଙ୍କ ଟିମ ପେଟ୍ରୋଲିଂ ପାଇଁ ଝିରମ ଘାଟି ଯାଉଥିବା ବେଳେ ଲାଲବାହିନୀ ଖେଳିଥିଲେ ରକ୍ତର ହୋଲି । ପୂର୍ବରୁ ସେଠାରେ ଲୁଚି ରହିଥିବା ୩୦୦ ନକ୍ସଲ ମନୋଜ ଏବଂ ତାଙ୍କ ଟିମ ଉପରକୁ ଆଖିବୁଜା ଗୁଳି ଚାଳନ କରିଥିଲା । ମନୋଜଙ୍କ ସାଙ୍ଗରେ ଥିବା ୧୧ ଜଣ ସାଥି ଘଟଣାସ୍ଥଳରେ ସହିଦ ହୋଇଯାଇଥିବା ବେଳେ ମନୋଜ ଏକାକୀ ନକ୍ସଲଙ୍କ ସହ ମୁକାବିଲା କରିଥିଲେ ।

ଏହି ଲଢ଼େଇରେ ମନୋଜଙ୍କ ପେଟରେ ୭ ଟି ଗୁଳି ବାଜିଥିଲା ଯାହାଫଳରେ ତାଙ୍କ ଅନ୍ତ ବାହାରକୁ ବାହାରି ଆସିଥିଲା । ତେେ ବ ସେତେବେଳେ ତାଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ପ୍ରତିଶୃତି ମଧ୍ୟ ମିଳିଥିଲା । କିନ୍ତୁ ଘଟଣା ଥଣ୍ଡା ପଡିଯିବା ପରେ ସମସ୍ତେ ଯେମିତି ମନୋଜଙ୍କୁ ଭୂଲି ଯାଇଥିଲେ । ପଲିଥିନର ସାହାରା ନେଇ ସେ ବହୁ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ମନୋଜଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅନ୍ତକୁ ବାହାରେ ହିଁ ରଖାଯାଇଥିଲା । କିନ୍ତୁ ଏବେ ଅନ୍ତକୁ ଭିତରେ ରଖାଯାଇପାରିବ । କିନ୍ତୁ ଦୁର୍ଭାଗ୍ୟର କଥା ଏବେ ଏଥିରେ ବାଧକ ସାଜିଛି ଅର୍ଥ । ଏପରିକି ମାଓବାଦୀଙ୍କ ଆକ୍ରମଣରେ ତାଙ୍କ ଗୋଟିଏ ଆଖି ମଧ୍ୟ ଖରାପ ହୋଇଯାଇଛି ।

ସରକାରଙ୍କ ନିୟମରେ ଅସନ୍ତୁଷ୍ଟ ମନୋଜ

ମନୋଜଙ୍କ କହିବାନୁସାରେ ସେ ସିଆରପିଏଫ ଉପରେ ଅସନ୍ତୁଷ୍ଟ ନୁହଁନ୍ତି ବରଂ ସରକାରଙ୍କ ନିୟମକୁ ନେଇ ତାଙ୍କର ଅସନ୍ତୋଷ ରହିଛି ।ସରକାରଙ୍କ ନିୟମ ଅନୁସାରେ ଛତିଶଗଡରେ ଏହି ଘଟଣା ଘଟିଥିବାରୁ ତାଙ୍କର ଚିକିତ୍ସା ରାୟପୁରର ନାରାୟଣ ହସ୍ପିଟାଲରେ ହେଉଛି । କିନ୍ତୁ ସେଠାରେ ତାଙ୍କର ଅପରେସନ ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଜ୍ଞାନକୌଶଳ ନାହିଁ । ସରକାର ଏମ୍ସରେ ଅନ୍ତନଳୀ ଅପରେସନ ଏବଂ ଚେନ୍ନାଇଠାରେ ଆଖି ଅପରେସନ କରିପାରିବେ । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନାହିଁ ।

ଆଶା ଆଶାରେ ହିଁ ରହିଯାଇଛି
ଲଗାତାର ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷାଦଳରେ ଥିବା ମନୋଜ ମାଓ ଆକ୍ରମଣରେ ଆହତ ହେବା ପରେ ଗୃହମନ୍ତ୍ରୀ ରାଜନାଥ ସିଂହ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଏବେଯାଏଁ ମଧ୍ୟ ତାଙ୍କୁ ସହାୟତା ମିଳିନାହିଁ । ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ପରେ ହିଁ ମନୋଜଙ୍କ ଅନ୍ତକୁ ପେଟରେ ସଂଯୋଗ କରାଯାଇପାରିବ ଏବଂ ମନୋଜ ପୂର୍ବଭଳି ଜୀବନ ବଞ୍ଚିପାରିବେ । ଆଖି ଓ ପେଟ ଅପରେସନ ପାଇଁ ୫ ରୁ ୭ ଲକ୍ଷ ଟଙ୍କା ଆବଶ୍ୟକ ଯାହା ତାଙ୍କ ପକ୍ଷେ ଅସମ୍ଭବ । ଏବେ ତାଙ୍କ ପରିବାର ସରକାରଙ୍କ ଅନୁଦାନକୁ ଚାହିଁ ରହିଛନ୍ତି ।