ଦେଶର ନୂତନ ଉପ-ରାଷ୍ଟ୍ରପତି ହେଲେ ଭେଙ୍କେୟା ନାଇଡ଼ୁ, ସପକ୍ଷରେ ଆସିଲା ୭୭୧ ରୁ ୫୧୬ ଭୋଟ୍

47

କନକ ବ୍ୟୁରୋ: ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡ଼ୁ ଆଜି ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳର ମିଳିତ ପ୍ରାର୍ଥୀ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ଭେଙ୍କେୟା ୨୭୨ ଭୋଟ ପରାଜିତ କରିଛନ୍ତି । ଭେଙ୍କେୟାଙ୍କୁ ମୋଟ ୫୧୬ ଭୋଟ୍ ମିଳିଥିବା ବେଳେ ଗୋପାଳକୃଷ୍ଣଙ୍କୁ ୨୪୪ଟି ଭୋଟ୍ ମିଳିଛି । ନିର୍ବାଚନରେ ୧୪ ଜଣ ସାଂସଦ ଭାଗ ନେଇ ନଥିବା ବେଳେ ୧୧ଟି ଭୋଟ୍ ନାକଚ ହୋଇଯାଇଛି ।

ଏହାସହିତ ଦେଶରେ ପ୍ରଥମ ଥର ପାଇଁ ୩ଟି ବଡ଼ ସାମ୍ବିଧାନିକ ପଦବି (ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ)ରେ ବିଜେପି ନେତାମାନେ ଆସୀନ ହୋଇଛନ୍ତି । ବର୍ତ୍ତମାନର ଉପରାଷ୍ଟ୍ରପତି ହମିଦ ଅନସାରି ଲଗାତାର ଦୁଇ ଥର ଏହି ପଦରେ ରହିଥିବା ବେଳେ ତାଙ୍କ କାର୍ଯ୍ୟକାଳ ଆଗାମୀ ୧୦ ତାରିଖ ଦିନ ସରିବ । ୬୮ ବର୍ଷୀୟ ଭେଙ୍କେୟା ଆସନ୍ତା ୧୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ।

ଶନିବାର ସଂସଦ ଭବନରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ମୋଟ ୯୮.୨୧ ପ୍ରତିଶତ ମତଦାନ ହୋଇଥିଲା । ୭୮୫ ସଦସ୍ୟଙ୍କ ମଧ୍ୟରୁ ୭୭୧ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମନ୍ତ୍ରିମଣ୍ଡଳ ସଦସ୍ୟଗଣ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖ ସାମିଲ ଥିଲେ । ଭୋଟ୍ ଗ୍ରହଣ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲଥିଲା ।

୧୪ ଜଣ ସାଂସଦ ଭୋଟ୍ ଦେଇନଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ବିଜେପିର ୨ ଜଣ, ଟିଏମସିର ୪ ଜଣ ଏବଂ କଂଗ୍ରେସର ୨ ଜଣ ସାଂସଦ ଅଛନ୍ତି । ବିଜେପି ସାଂସଦ ବିଜୟ ଗୋଏଲ ଏବଂ ସାଓ୍ଵଁର ଲାଲ ଜାଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ଭୋଟ୍ ଦେଇପାରିନଥିଲେ । ଏବେ ୫୪୪ ସଦସ୍ୟ ବିଶିଷ୍ଟ ଲୋକସଭାରେ ବିଜେପିର ୨୮୧ ସଦସ୍ୟ ଅଛନ୍ତି । ଏନଡିଏର ମୋଟ ସଦସ୍ୟ ସଂଖ୍ୟା ୩୩୮ ରହିଛି । ସେହିଭଳି ରାଜ୍ୟସଭାର ୨୪୫ ସଦସ୍ୟଙ୍କ ମଧ୍ୟରୁ ବିଜେପିର ୫୮ ଓ କଂଗ୍ରେସର ୫୭ ସଦସ୍ୟ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବନିର୍ବାଚିତ ଉପରାଷ୍ଟ୍ରପତି ଭେଙ୍କେୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର କାର୍ଯ୍ୟକାଳ ବହୁତ ସଫଳ ଓ ପ୍ରେରଣାଦାୟକ ହେବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି । ୟୁପିଏ ପ୍ରାର୍ଥ ଗୋପାଳକୃଷ୍ଣ ଗାନ୍ଧୀ ନିର୍ବାଚନ ଫଳ ଘୋଷଣା ପରେ ଭେଙ୍କେୟାଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କୁ ମିଳିଥିବା ଭୋଟ୍ ଉପରେ ସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ସମର୍ଥନ କରିଥିବା ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁକ୍ତ ବିଚାର ଏବଂ ବିବିଧତା ସପକ୍ଷରେ ତାଙ୍କୁ ଭୋଟ୍ ମିଳିଛି ବୋଲି ସେ କହିଛନ୍ତି ।

ଭେଙ୍କେୟା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଦେଶର ସମ୍ବିଧାନ ଓ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା ପାଇଁ ସେ ସମର୍ପିତ ହୋଇ କାର୍ଯ୍ୟ କରିବେ । ଏହାସହିତ ରାଷ୍ଟ୍ରପତିଙ୍କ ହାତମୁଠାକୁ ଟାଣ କରିବା ଏବଂ ରାଜ୍ୟସଭାର ଗାରିମା ରକ୍ଷା କରିବା ଦିଗରେ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି । ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକ ସାଧାରଣ କୃଷକ ପରିବାରରେ ଜନ୍ମ ନେଇ ଏଭଳି ପଦକୁ ଆସିବା ସେ କେବେ କଳ୍ପନା କରିନଥିଲେ ବୋଲି ଭେଙ୍କେୟା କହିଛନ୍ତି ।

ବିରୋଧୀଙ୍କୁ କ୍ରସଭୋଟିଂ ଝଟକା

ଶନିବାର ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ଅନେକ ସାଂସଦଙ୍କ ଅନୁପସ୍ଥିତି ଏବଂ କେତେକ ଭୋଟ୍ ନାକଚ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କେତେକ ସାଂସଦଙ୍କ କ୍ରସଭୋଟିଂ ବିରୋଧୀ ମେଣ୍ଟକୁ ଜୋରଦାର ଝଟକା ଦେଇଛି । ଶାସକ ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ଆଶା ଠାରୁ ଅଧିକ ଭୋଟ ପାଇଥିବା ବେଳେ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣଙ୍କୁ ୨୧ଟି କମ୍ ଭୋଟ୍ ମିଳିଛି । ଏଭଳି କ୍ରସଭୋଟିଂ ବିରୋଧୀ ମେଣ୍ଟର ନିଦ ହଜାଇ ଦେଇଛି ।

କିଏ କ୍ରସଭୋଟିଂ କରିଛି ତାହା ଜଣାପଡ଼ି ନଥିଲେ ମଧ୍ୟ ପ୍ରାୟ ଦୁଇ ଡଜନ୍ ବିରୋଧୀ ଦଳ ସାଂସଦ ଦଳୀୟ ନେତୃତ୍ୱକୁ ବେଖାତିର କରି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କୁହାଯାଉଛି । ବିଜେପି ସୂତ୍ରରୁ ପ୍ରକାଶ ଯେ ଏନଡିଏ ପ୍ରାର୍ଥୀ ପୂର୍ବ ଘୋଷିତ ସମର୍ଥନ ମୁତାବକ ସର୍ବାଧିକ ୪୯୫ ଭୋଟ୍ ପାଇବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଭେଙ୍କେୟା ୫୧୬ ଭୋଟ୍ ହାସଲ କରି ବିରୋଧୀ ମେଣ୍ଟର ଏକତାକୁ ଧୂଳିସାତ୍ କରିଦେଇଛନ୍ତି ।

ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାର ଯେତିକି ସାଂସଦଙ୍କ ଭୋଟ୍ ପାଇଥିଲେ, ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀ ତା’ଠାରୁ ୪୦ଟି ଅଧିକ ଭୋଟ୍ ପାଇଥାନ୍ତେ । କିନ୍ତୁ ପାଇଛନ୍ତି ମାତ୍ର ୧୯ଟି ଅଧିକ ଭୋଟ୍ । ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ କୋବିନ୍ଦଙ୍କୁ ଭୋଟ ଦେଇଥିବା ବିଜେଡି ଏବଂ ଜେଡିୟୁ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଗୋପାଳକୃଷ୍ଣଙ୍କୁ ଭୋଟ ଦେବାକୁ ଘୋଷଣା କରିଥିଲେ । ଏମାନଙ୍କର ୪୦ ସାଂସଦ ରହିଛନ୍ତି । ସଂସଦରେ ଏବେ ବିଜେଡିର ୨୮ ଏବଂ ଜେଡିୟୁର ୧୨ ସାଂସଦ ଅଛନ୍ତି ।

ମୀରା କୁମାରଙ୍କୁ ୨୨୫ ଜଣ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ଗୋପାଳକୃଷ୍ଣଙ୍କୁ ୨୪୪ ସାଂସଦଙ୍କ ସମର୍ଥନ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୫୨୨ ସାଂସଦଙ୍କ ସମର୍ଥନ ମିଳିଥିଲା । ୪୦ ଭୋଟ୍ ହାତରୁ ଯିବା ସତ୍ତ୍ୱେ ଏନଡିଏର ମାତ୍ର ୬ଟି ଭୋଟ୍ କମିବା ବଡ଼ ଧରଣର କ୍ରସ୍ ଭୋଟିଂକୁ ଦର୍ଶାଉଛି ।

ଆଜିର ନିର୍ବାଚନରେ ମୋଟ ୭୮୫ ସାଂସଦ ମତଦାନ କରିବାକୁ ଯୋଗ୍ୟ ଥିବା ବେଳେ ୭୭୧ ଜଣ ଭୋଟ୍ ଦେଇଥିଲେ ଏବଂ ସେଥିରୁ ୧୧ଟି ଭୋଟ୍ ନାକଚ ହୋଇଥିଲା । ଆଉ ୧୪ ଜଣ ସାଂସଦ ବିଭିନ୍ନ କାରଣରୁ ମତଦାନରେ ଭାଗ ନେଇନାହାନ୍ତି ।