ଗୁଜରାଟ ସୁରଟରୁ ଆସିଲା ଅଭାବନୀୟ ଦୃଶ୍ୟ । ୩ଟି ଶ୍ମଶାନରେ ଅନବରତ ଜଳୁଛି ଜୁଇ, ତରଳି ଗଲାଣି ଚିମିନି

455

କନକ ବ୍ୟୁରୋ : ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ । କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ । ଆଖିରୁ ଲୁହ ଝରିପଡିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ ।
ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କ ଚିତା । ୨୪ ଘଂଟା ଚିତା ଜଳିବା ଫଳରେ ତରଳି ଗଲାଣି ଭାଟି । ସୁରଟରେ ରହିଛି ୩ଟି ପ୍ରମୁଖ ଶ୍ମଶାନ । ରାମନାଥ ଗେଲା, ଅଶ୍ୱୀନ କୁମାର ଏବଂ ଜାହାଙ୍ଗୀରପୁରା ସବୁଠି ସମାନ ଅବସ୍ଥା । ଶବଦାହ କରିବା ଲାଗି ଏଟାରେ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ହେଲେ ୨୪ ଘଂଟା ଧରି ଶବଦାହ ହେଉଥିବାରୁ ଗ୍ୟାସ ଚୁଲାର କିଛି ଅଂଶ ଓ ଗ୍ରୀଲ ତରଳି ଯାଇଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକଦିନ ହାରାହାରି ୧୦୦ରୁ ଅଧିକ ଶବ ଦାହ ପାଇଁ ପହଂଚୁଥିବା ଜଣାପଡିଛି । ଗତକାଲି ୨୪ ଘଂଟାରେ କେବଳ ସୁରତ ଜିଲ୍ଲାରେ ୨ ହଜାର ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୭୨୦ ଜଣ କେବଳ ସୁରତ ସହରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ସୁରଟ ସହରରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସୁରଟରେ ଏପର୍ଯ୍ୟନ୍ତ ୧୫ ଜଣ ପ୍ରବାସୀ ଓଡିଆଙ୍କ ମୃତ୍ୟୁ ହୋଇଥିବା ଖବର ମିଳୁଛି ।