ଆଜି ଠାରୁ ଦେଶର ସମସ୍ତ ବିମାନ ବନ୍ଦରରେ ଲାଗୁ ହେବ ଥର୍ମାଲ ସ୍କାନିଂ ବ୍ୟବସ୍ଥା : ସ୍ଥିତି ପରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କର ହେବ ସ୍କାନିଂ

294

କନକ ବ୍ୟୁରୋ : ଭାରତରେ କରୋନା କାୟା ବିସ୍ତାର କରିବା ଭିତରେ ସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ କାମ କରୁଛନ୍ତି ଭାରତ ସରକାର । ଏହା ମଧ୍ୟରେ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଛି । ଶୁକ୍ରବାର ସୁଦ୍ଧା ଦେଶର ସମସ୍ତ ବିମାନ ବନ୍ଦରରେ ଏହି ବ୍ୟବସ୍ଥା କରାଯିବାକୁ ଯୋଜନା ରଖାଯାଇଛି । ଦିଲ୍ଲୀରେ ଥିବା ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ କିପରି ରହିଛି ଥର୍ମାଲ ସ୍କାନିଂ ବ୍ୟବସ୍ଥା ନିଜେ ତଦାରଖ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ ।

ନିଜ ଅଧିକାରୀଙ୍କ ସହିତ ହର୍ଷବର୍ଦ୍ଧନ ଇନ୍ଦିରାଗାନ୍ଧି ବିମାନବନ୍ଦର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ନିଜେ ମଧ୍ୟ ଥର୍ମାଲ ସ୍କାନିଂରେ ନିଜର ପରୀକ୍ଷା କରାଇ ଏହା କିପରି କାମ କରୁଥିଲେ ତାହା ପଚାରି ବୁଝିଥିଲେ । ଏବେ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦର ଗୁଡିକରେ ଥର୍ମାଲ ସ୍କାନିଂ ଓ ଫର୍ମ ପୂରଣ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

ଦିଲ୍ଲୀରେ ସରକାରଙ୍କୁ ଘାରିଲାଣି କରୋନା ଭୟ । ଛୋଟ ଛୋଟ ପିଲାଙ୍କ ଠାରେ ଏହି ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ଥିବାରୁ ଦିଲ୍ଲୀ ସରକାର ଆସନ୍ତା ୩୧ ମାର୍ଚ ଯାଏଁ ପଂଚମ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଖଜୁରଖାସ୍ ଅଂଚଳରେ ସ୍କୁଲ ପରିଦର୍ଶନ ସମୟରେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋସିଆ । ଲୋକଙ୍କର ଭୟ କରିବାର କିଛି ନାହିଁ । ସରକାର କରୋନା ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଥିବା କହିଛନ୍ତି ସିସୋଦିଆ ।