ଛାତ ଉପରେ ସୁଇମିଂପୁଲ ବନାଉଥିଲା କନେଷ୍ଟବଳ । ଭିଜିଲାନ୍ସ ରେଡ୍ ବେଳେ ମିଳିଲା ୧ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ।

314

କନକ ବ୍ୟୁରୋ: ଚାକିରି ପୁଲିସ କନେଷ୍ଟବଳ, ହେଲେ ବାବୁଙ୍କ ପାଖରେ ଅମାପ ସମ୍ପତ୍ତି । ଘର ଛାତ ଉପରେ ସୁଇମିଂ ପୁଲ ବନାଇଥିଲେ କରିତକର୍ମା କନେଷ୍ଟବଳ । ଆୟବହିର୍ଭୁକ୍ତ ସମ୍ପତ୍ତିି ଠାବ ପରେ ଭିଜିଲାନ୍ସ ଚଢ଼ାଉ କରିଛି । ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କର ୧ କୋଟି ୨୭ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି ଠାବ କରିଛି ପୁଲିସ । ସବୁଠୁ ବଡ଼ କଥା ହେଉଛି, ବାରିପଦା ଟାଉନ୍ରେ ତାଙ୍କର ତିନିମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର ରହିଛି ଆଉ ଘର ଛାତ ଉପରେ ରହିଛି ସୁଇମିଂ ପୁଲ୍ । ତେବେ କନେଷ୍ଟବଳ ଚାକିରିରେ ବେଶ ଅୟସ ଆରାମରେ ଦିନ କାଟୁଥିଲେ ଏହି ପୁଲିସ କର୍ମଚାରୀ । ହେଲେ କେଉଁଠୁ ଏତେ ଟଙ୍କା ଆଣିଲେ, ଏହାର ହିସାବ ଦେଇପାରିନାହାନ୍ତି ନିହାର ରଂଜନ ଦଣ୍ଡପାଟ ।

କେବଳ ସେତିକି ନୁହେଁ, ଏହି କନେଷ୍ଟବଳଙ୍କ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଦେବ । ୨ଟି ପ୍ଲଟ, ୨ଟି ବିଳାସପୂର୍ଣ୍ଣ କାର, ୩ଟି ତିନି ଚକିଆ ଯାନ, ୪ଟି ବାଇକ୍, ସାଇବର ଆଉଟଲୁକ ନାଁରେ କମ୍ପୁଟର ଉପକରଣ ଷ୍ଟୋର, ୧୩ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ, ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା । ଏହାସହ ବୀମା, ବ୍ୟାଙ୍କ ଡିପୋଜିଟ୍ ଠାବ କରିଛି ଭିଜିଲାନ୍ସ । ବାରିପଦା ରିଜର୍ଭ ପୁଲିସ ଲାଇନରେ କାମ କରୁଥିବା କନେଷ୍ଟବଳ ନିହାର ରଂଜନ ଦଣ୍ଡପାଟଙ୍କ ଘର ସମେତ ୭ଟି ସ୍ଥାନରେ ଆଜି ଚଢ଼ାଉ କରିଥିଲା ଭିଜିଲାନ୍ସ । ବାରିପଦା ଭିଜିଲାନ୍ସ ସ୍ପେଶାଲ୍ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଥିଲା । ୯ ଜଣ ଡିଏସପି, ୫ ଜଣ ଇନସପେକ୍ଟର, ୫ ଜଣ ଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ୧ କୋଟି ୨୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିି ଠାବ କରିଛି ଭିଜିଲାନ୍ସ ।