ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ୨୨୩ ରନରେ ଅଲଆଉଟ୍ । କୋହଲିଙ୍କ ଦମଦାର ୭୯ ରନ, ପୂଜାରା ମାରିଲେ ୪୩

107

କନକ ବ୍ୟୁରୋ : କେପଟାଉନର ନ୍ୟୁଲାଣ୍ଡ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ୩ୟ ତଥା ଚୂଡ଼ାନ୍ତ ଟେଷ୍ଟମ୍ୟାଚରେ ଭାରତ ନୈରାଶ୍ୟଜନକ ଆରମ୍ଭ କରିଛି । ଦଳ ନିଜର ପ୍ରଥମ ଇନିଂସରେ ମାତ୍ର ୨୨୩ରନରେ ଅଲଆଉଟ୍ ହୋଇଯାଇଛି । ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ତେବେ ଭାରତ ଆରମ୍ଭରୁ ହିଁ ନିଜର ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ହରାଇଥିଲା । କେବଳ କୋହଲି ଓ ଚେତେଶ୍ବର ପୂଜାରା ଦକ୍ଷିଣ ଅଫ୍ରିକାର ବୋଲିଂର ଲଢୁଆ ମୁକାବିଲା କରିବାକୁ ସକ୍ଷମ ହୋଇଥିଲେ । କୋହଲି ୭୯ ରନ କରିଥିବାବେଳେ ପୂଜାରା ୪୩ ରନ କରିଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର୍ କରିବାକୁ ସକ୍ଷମ ହୋଇପାରିନଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡ଼ା ୪ଟି ଓ ମାର୍କୋ ଜାନସେନ ୩ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚର ଫଳାଫଳ ସଂପୂର୍ଣ୍ଣ ସିରିଜର ବିଜେତା ନିର୍ଦ୍ଧାରଣ କରିବ । ଯଦି ମ୍ୟାଚ ଡ୍ର ହୁଏ ତେବେ ସିରିଜ ମଧ୍ୟ ଅମୀମାଂସିତ ରହିବ ଓ ଉଭୟ ଦଳଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିବାବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ।