ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ଟାରୁ ଦିନ ୧ଟା ଅଖଚକ ସବୁ ବନ୍ଦ  ।  

178

କନକ ବ୍ୟୁରୋ: ଆସନ୍ତାକାଲି ଓଡିଶା ବନ୍ଦ । ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଫେବୃଆରୀ ୧୫ରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ । ଏହିଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ପାଳନ ହେବ । ତେବେ କଂଗ୍ରେସ କର୍ମୀମାନେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି । ସାଧାରଣ ଲୋକ ଯେପରି ଏହାଦ୍ୱାରା ଅସୁବିଧାର ସମ୍ମୁଖୀନ ହେବେନି ତା ଉପରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।

ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରାକୁ ଆଖି ଆଗରେ ରଖି ରାଜ୍ୟରେ ଘରୋଇ ବସ ଚଳାଚଳ ମଧ୍ୟ ବନ୍ଦ ରହିବ । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ମଧ୍ୟ ସୂଚନା ଦେଇସାରିଛନ୍ତି । ତେବେ ଜରୁରୀକାଳୀନ ସେବା ଓ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଜରୁରୀ ଯିବା ଆସିବାରେ କୌଣସି ଅସୁବିଧା ରହିବ ନାହିଁ । ବନ୍ଦ ପାଳନ ବେଳେ ବାହାଘର ଗାଡି ଓ ଅନ୍ତିମ ସଂସ୍କାର ଗାଡିଗୁଡିକ ମଧ୍ୟ ନିଦ୍ୱନ୍ଦ୍ୱରେ ଯିବା ଆସିବା କରିପାରିବ ।

ଅନ୍ୟପଟେ ଆସନ୍ତାକାଲି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିବ । ପିଲାମାନଙ୍କୁ ସ୍କୁଲ ଓ କଲେଜ ଯିବାକୁ ମନା କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ  ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି।