ତେଲଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସର ‘ଓଡିଶା ବନ୍ଦ’ ଡାକରା । ଦିନ ୧ଟା ଯାଏଁ ଘରୋଇ ବସ୍‌ ଚଳାଚଳ ବନ୍ଦ

122

କନକ ବ୍ୟୁରୋ: କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟି ରଖି ରାଜ୍ୟବ୍ୟାପୀ ଆସନ୍ତାକାଲି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିବ। ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଦିନ ଗୋଟିଏ ପରେ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ ସ୍ବାଭାବିକ ହେବ। ବସ୍‌ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ଜନସାଧାରଣଙ୍କ ବୃହତ‌ ସ୍ବାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସର ଓଡ଼ିଶା ବନ୍ଦ ସମୟରେ ଯାତ୍ରୀ ବସ୍‌ଗୁଡ଼ିକ ସକାଳ ୬ଟାରୁ ଅପରାହ୍ନ ୧ଟା ଯାଏଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ହେଲେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ ବନ୍ଦ ହେବା ନେଇ ଘୋଷଣା ମଧ୍ୟ କରିଦେଇଛନ୍ତି।