ପ୍ରଶାସକଙ୍କୁ ନବୀନଙ୍କ ପ୍ରଶ୍ନ: କିଭଳି ଚାଲିଛି ସରକାରୀ ଦଫ୍ତର, କେତେ ସନ୍ତୁଷ୍ଟ ଅଛନ୍ତି ଜନତା ?

ଗୋଟିଏ ସରକାର ତାର ଭଲ କାମ ପାଇଁ ଲୋକଙ୍କ ବିଶ୍ୱାସ ହାସଲ କରିବାରେ ସଫଳ ହୋଇଥାଏ । ଆଉ ଭଲ କାମ ହିଁ ପ୍ରଶାସନର ହଲ୍ ମାର୍କ ତେଣୁ ସେ ଦିଗକୁ ଗୁରୁତ୍ୱ ଦିଅ ।

406

କନକ ବ୍ୟୁରୋ: ପଞ୍ଚମ ପାଳିରେ ଅଧିକ ସକ୍ରିୟ ନବୀନ ସରକାର । ପ୍ରଥମେ ମନ୍ତ୍ରୀଙ୍କୁ ମନ୍ତ୍ରୀ ଓ ପରେ ପ୍ରଶାସକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ଅନୁଷ୍ଠିତ ବରିଷ୍ଠ ଅଧିକାରୀ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗୋଟିଏ ସରକାର ତାର ଭଲ କାମ ପାଇଁ ଲୋକଙ୍କ ବିଶ୍ୱାସ ହାସଲ କରିବାରେ ସଫଳ ହୋଇଥାଏ । ଆଉ ଭଲ କାମ ହିଁ ପ୍ରଶାସନର ହଲ୍ ମାର୍କ ତେଣୁ ସେ ଦିଗକୁ ଗୁରୁତ୍ୱ ଦିଅ । ଏହାସହ କିଭଳି ଚାଲିଛି ସରକାର ତାକୁ ନେଇ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ପ୍ରଶ୍ନ-

୧. ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପ୍ରତିକ୍ରିୟା ସ୍ୱାସ୍ଥ୍ୟ ବିଭାଗ ନେଉଛି କି, ଏହାଦ୍ୱାରା ରୋଗୀମାନେ ସନ୍ତୁଷ୍ଟ କି?

୨. ଯେଉଁ ଯୁବ ବନ୍ଧୁମାନେ ପରିବହନ ବିଭାଗରୁ ଲାଇସେନ୍ସ ନେଉଛନ୍ତି, ସେମାନଙ୍କ ପ୍ରତିକ୍ରିୟା ସମ୍ପର୍କରେ ବିଭାଗ ସଚେତନ କି?

୩. ହଜାର ହଜାର ଲୋକ ତହସିଲ ଅଫିସକୁ ଯାଉଛନ୍ତି, ସେମାନଙ୍କ ଅନୁଭୂତି ବିଷୟରେ ଆପଣ ଜାଣନ୍ତି କି?

୪. ଆମର ବିଭିନ୍ନ ଉନ୍ନୟନ କର୍ତ୍ତୁପକ୍ଷଙ୍କ ସମ୍ପର୍କରେ ଜନସାଧାରଣଙ୍କ ଅନୁଭୂତି କିପରି, ତାହା ସେମାନେ ଜାଣନ୍ତି କି?

୫. ସରକାରଙ୍କ ସମ୍ପର୍କରେ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ହିତାଧିକାରୀଙ୍କ ମତାମତ ଆପଣ ଜାଣନ୍ତି କି?

୬. ସବ୍ ରେଜିଷ୍ଟର ଅଫିସରରେ କ’ଣ ଘଟୁଛି ଆପଣ ଜାଣନ୍ତି କି?

“ଏସବୁ ଅଫିସ୍ ଲୋକଙ୍କ ସେବା ପାଇଁ ରହିଛି । କାରଣ ଲୋକଙ୍କ ଟଙ୍କାରେ ଏହା ଚାଲୁଛି । ଏସବୁ ଅଫିସର କାର୍ଯ୍ୟରେ କେତେ ସନ୍ତୁଷ୍ଟ ଏବଂ ସାଧାରଣ ଲୋକଙ୍କ ଦୃଷ୍ଟିରେ ସମସ୍ତ ସେବା ସମ୍ପର୍କରେ ମୁଁ ଜାଣିବାକୁ ଚାହୁଁଛି ବୋଲି କହିଛନ୍ତି ନବୀନ । ମୁଁ ଯେମିତି ଆପଣଙ୍କର ଦକ୍ଷତା ଆକଳନ ରିପୋର୍ଟ ଲେଖୁଛି, ଠିକ୍ ସେମିତି ଲୋକମାନେ ମୋ ଦକ୍ଷତା ଆକଳନର ରିପୋର୍ଟ ଲେଖୁଛନ୍ତି । ତେଣୁ ପରସ୍ପର ମଧ୍ୟରେ ସମ୍ପର୍କ ରହିବା ମୁଁ ଚାହେଁ । ଆଉ କେଉଁଠି କେମିତି କାର୍ଯ୍ୟ ଚାଲିଛି ତାହା ଆମ ସମସ୍ତଙ୍କୁ ଉତ୍ତରଦାୟୀ ରହିବାକୁ ହେବ ବୋଲି କହିଛନ୍ତି ନବୀନ ।

ସେହିଭଳି  ପ୍ରଥମେ ମନ୍ତ୍ରୀ ଓ ପରେ ପ୍ରଶାସକଙ୍କୁ ୫-ଟି ମନ୍ତ୍ର ଦେଇଛନ୍ତି ନବୀନ । କହିଛନ୍ତି କି, ପୂର୍ବ ସରକାରରେ ଯେଉଁଭଳି ୩-ଟିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିଲେ ଏବେ ନୂଆ ସରକାରରେ ଏହାକୁ ଅଧିକ କ୍ରୀୟାଶୀଳ କରି ୫-ଟିକୁ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ୩-ଟି ଯଥା ଟିମୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟେକ୍ନୋଲୋଜୀରେ ନୂଆ ଦୁଇଟି ଦିଗ ଯଥା- ଟ୍ରାନ୍ସଫରମେସନ୍ ଏବଂ ଟାଇମକୁ ଗୁରୁତ୍ୱ ଦେଇ କାର‌୍ୟ୍ୟ ତୁଲାଇବାକୁ ଅଫିସରଙ୍କୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।