ବିଜୟଙ୍କୁ ଡାକିଲେନି, ତାତିଲେ ବିଜେପି କର୍ମୀ ! ବିରୋଧୀ ଗୋଷ୍ଠୀକୁ ଗୋଡାଇ ଗୋଡାଇ ପିଟିଲେ ବିଜୟଙ୍କ ସମର୍ଥକ

28

କନକ ବ୍ୟୁରୋ : ବିଜେପି ଓ ବିଜୟ ମହାପାତ୍ରଙ୍କୁ ନେଇ ବ୍ୟାପକ ଚର୍ଚା ମଧ୍ୟରେ ଆଜି କେନ୍ଦ୍ରାପଡା ବିଜେପିରେ ବଡ ଧରଣର ଫାଟ ପଦାକୁ ଆସିଛି । ପାଟକୁରାରେ ବିଜେପିର ମିଶ୍ରଣ ପର୍ବରେ ମୁହାଁମୁହିଁ ହୋଇଛନ୍ତି ଦଳୀୟ କର୍ମୀ । ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଡକା ଯାଇନଥିବାରୁ ହଙ୍ଗାମା କରିଛନ୍ତି ତାଙ୍କ ସମର୍ଥକ । ମଂଚ ଭାଂଗିବା ସହ ଅନ୍ୟ ଏକ ଗୋଷ୍ଠୀଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ବିଜୟଙ୍କ ସମର୍ଥକ ।

bijay ମିଶ୍ରଣ ପର୍ବରେ ମୁହାଁମୁହିଁ । ମଂଚ ଭଂଗାରୁଜା, କର୍ମୀ ଧସ୍ତାଧସ୍ତି । ଲଢେଇ ହେଉଥିଲା ବିଜେପି ବନାମ ବିଜେପି । କେନ୍ଦ୍ରାପଡା ବିଜେପିରେ ଫାଟ । ପାଟକୁରା ଗରଦପୁରରେ ବିଜେପିର ମିଶ୍ରଣ ପର୍ବରେ ଲଙ୍କାକାଣ୍ଡ କରିଛନ୍ତି ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସମର୍ଥକ ।ସଭା ମଂଚ ଭାଂଗିବା ସହ ବିଜେପିର ଅନ୍ୟ ଏକ ଗୋଷ୍ଠୀଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ଫଳରେ ଫସର ଫାଟିଯାଇଛି ବିଜେପିର ମିଶ୍ରଣ ପର୍ବ ।

ତେବେ ଏନେଇ ଦଳୀୟ କର୍ମୀ କହିଛନ୍ତି, ପାଟକୁରା ହେଉଛି ବିଜୟଙ୍କ ମାଟି । ତାଙ୍କ ବିନା ପାଟକୁରାରେ ବିଜେପି କୌଣସି ଅସ୍ତିିତ୍ୱ ନାହିଁ । ୨୦୦୮ ମସିହାରୁ ପରିଶ୍ରମ କରି ଦଳକୁ ମଜବୁତ କରିଛନ୍ତି କିନ୍ତୁ ତାଙ୍କୁ ଦଳ ଅଣଦେଖା କରିଛି । ତେବେ ପ୍ରଶ୍ନ ଉଠୁଛି ନିଜ ଗଡର ମିଶ୍ରଣ ପର୍ବରେ କାହିଁକି ଡକାଗଲାନି ବିଜୟଙ୍କୁ? ବିଜେପିରେ ଏକଘରିକିଆ ହୋଇଯାଇଛନ୍ତି କି ବିଜୟ?

କେନ୍ଦ୍ରାପଡାରେ ବିଜେପିର ପୁରୁଖା ନେତା ହେଉଛନ୍ତି ବିଜୟ ମହାପାତ୍ର । ପାଟକୁରାର ପୂର୍ବତନ ବିଧାୟକ । ହେଲେ ବେଶ୍ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିଜେପି ଓ ବିଜୟଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି । ତେଣୁ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଆଶଙ୍କା କରୁଛନ୍ତି ଯେ ଜାଣିଶୁଣି ତାଙ୍କୁ ଏହି ମିଶ୍ରଣ ପର୍ବକୁ ଡକାଯାଇନାହିଁ ।

ଏହି ଘଟଣା ନେଇ ବିଜେପି କହିଛି, ମିଶ୍ରଣ ପର୍ବରେ ହଙ୍ଗମା କରିଥିବା କର୍ମୀଙ୍କ ଉପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଘଟଣା ପରେ କେନ୍ଦ୍ରାପଡା ବିଜେପି ସଂଗଠନ ଦୁଇ ଭାଗ ହୋଇଯାଇଛି । ଗୋଟିଏ ପଟେ ବିଜୟଙ୍କ ସମର୍ଥକ ଆଉ ଗୋଟିଏ ପଟେ ଦଳର ପାରମ୍ପାରିକ ସମର୍ଥକ । ଯାହା ଦଳୀୟ ନେତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।