ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ କଲେ ସୁପାରିଶ

74

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ଡି,ୱାଇ ଚନ୍ଦ୍ରଚୁଡଙ୍କ ନାମ ସୁପାରିଶ କରିଛନ୍ତି । ଏହା ଯଦି ଗ୍ରହଣ କରାଯାଏ ତେବେ ନଭେମ୍ବର ୯ ତାରିଖରେ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ତାଙ୍କର କାର୍ଯ୍ୟକାଳ ୨ ବର୍ଷରୁ ଅଧିକ ରହିବ । ସେପଟେ କେନ୍ଦ୍ର ସରକାରଙ୍କ ତରଫରୁ ଏନେଇ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ମତ ମଗାଯାଇଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କୁ ସକରାତ୍ମକ ଚିଠି ଲେଖିଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ ।

ଅନ୍ୟପଟେ ଏବେ ସୁପ୍ରିମକୋର୍ଟର ମୂୁଖ୍ୟ ବିଚାରପତି ଥିବା ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ କାର୍ଯ୍ୟକାଳ ନଭେମ୍ବର ୮ ତାରିଖରେ ଶେଷ ହେବାକୁ ଯାଉଛି । ଏଣୁ ନଭେମ୍ବର ୯ ତାରିଖରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ୫୦ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ତାଙ୍କର କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ ତାରିଖରେ ଶେଷ ହେବ । ସମ୍ବିଧାନର ନିୟମ ମୁ୍ତାବକ ଏବେର ମୁଖ୍ୟ ବିଚାରପତି ତାଙ୍କର ଉତ୍ତରାଧିକାରୀ ନେଇ କେନ୍ଦ୍ର ସରକାରଙ୍କୁ ଏକ ସୁପାରିଶ ପତ୍ର ପଠାଇବାର ନିୟମ ରହିଛି ।

ସୁପ୍ରିମକୋର୍ଟର ଆଗାମୀ ବିଚାରପତି ହେବାକୁ ଯାଉଥିବା ଜଷ୍ଟିସ ଚନ୍ଦ୍ରଚୁଡ ୧୯୯୮ ମସିହାରେ ଭାରତର ଅତିରିକ୍ତ ସଲିସିଟର ଜେନରାଲ ଭାବେ କାର୍ଯ୍ୟ କରିଛନ୍ତି । ସେ ୨୦୧୩ ରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ । ୨୦୧୬ ମସିହାରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା ।