ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ତେଜିଲା ରାଜନୀତି : କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

32

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର ୮୦ ଟଙ୍କା ବୃଦ୍ଧି ଅତି ନୌରଶ୍ୟଜନକ କହିଛନ୍ତି ନବୀନ ପଟ୍ଟନାୟକ । ଗତକାଲି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ର ଘୋଷଣା କରିଥିଲା । ଆଜି ବ୍ରହ୍ମପୁରରେ ଆୟୋଜିତ ଦକ୍ଷିଣ ଓଡିଶା ଯୁବ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

କେନ୍ଦ୍ର ସରକାର ୨୦୧୭-୧୮ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୱିଂଟାଲ ପିଛା ମାତ୍ର ୮୦ଟଙ୍କା ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର । ଏନେଇ ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜଣାଇଦେଇଛି । କୃଷି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ସାଧାରଣ ମାନ ଧାନର ଏମଏସପି କ୍ୱିଂଟାଲ ପିଛା ୮୦ଟଙ୍କା ବଢ଼ି ୧୪୭୦ରୁ ୧୫୫୦ ଟଙ୍କା ହେବ ।

ସେହିଭଳି ଏ ଗ୍ରେଡ୍ ଧାନର ଏମଏସପି ୧୫୯୦ଟଙ୍କା ଧାର୍ଯ୍ୟ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଚାଷୀ କୂଳକୁ ଶକ୍ତ ଧକା ଦେଇଛି । ତେବେ ଗତ ବିଧାନସଭା ଅଧିବେଶନ ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବାକୁ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଥିଲା । ଏବଂ ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମଧ୍ୟ ମାଗିଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବା ପାଇଁ ସମୟ ନଦେଇ ଓଡିଶାର ଦାବିକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ।