ଟ୍ରେନର ଚେନ୍ ଟାଣିଲେ ନିସ୍ତାର ନାହିଁ ! ଏଣିକି ଜୋରିମାନା ନୁହେଁ ସିଧାସଳଖ ହେବ ଜେଲ୍ ।

30

ସାଧାରଣତଃ ଚେନ୍ ପୁଲିଙ୍ଗ କାରଣରୁ ଟ୍ରେନଗୁଡିକ ସବୁବେଳେ ବିଳମ୍ବରେ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ ପଦକ୍ଷେପ ନେଇଛି । ଏହାକୁ ନେଇ ଚଳିତ ମାସରୁ ରେଲୱେ ଅଭିଜାନ ଆରମ୍ଭ ହେବ । ଏଣିକି ଚେନ୍ ପୁଲିଙ୍ଗ କରୁଥିବା ସମୟରେ ଧରା ପଡିଲେ ସଙ୍ଗେ ସଙ୍ଗେ ଜୋରିମାନା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଜେଲ୍ ପଠାଯିବ । ରେଳବାଇ ପ୍ରଶାସନ ଟ୍ରେନ ବିଳମ୍ବ ହେବା ନେଇ ଯାଞ୍ଚ କରିଥିଲା । ଯେଉଁଥିରୁ ଜଣାପଡିଥିଲା ଯେ, ଲାଇନ୍ ଗୁଡିକର ମରାମତି, ମାଲବାହୀ ଗାଡି ନିର୍ଦ୍ଧାରିତ ସମୟରେ ଚଲାଇବା, ବାରମ୍ବାର ଚେନ୍ ପୁଲିଙ୍ଗ କରିବା ଭଳି କାରଣ ସାମ୍ନାକୁ ଆସିଥିଲା ।

ତେବେ ଏଥିପ୍ରତି ରେଳବାଇ ଏବେ ଏକ ବଡ ପଦକ୍ଷେପ ନେଇଛି । ଟିଟିଇ, ଆରପିଏଫ, ଜିଆରପି ସମେତ ଟ୍ରେନ ଡ୍ୟୁଟି କରୁଥିବା ଅନ୍ୟ ଷ୍ଟାଫ୍ ମାନଙ୍କୁ ମଧ୍ୟ ଟ୍ରେନରେ ଚେନ୍ ପୁଲିଙ୍ଗ କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ କୁହାଯାଇଛି । ଧରାପଡିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଜୋରିମାନା ନେବା ପରିବର୍ତ୍ତେ ତାଙ୍କୁ ରେଳବାଇ ମାଜିଷ୍ଟ୍ରେଟଙ୍କ ନ୍ୟାୟାଳୟରେ ଉପସ୍ଥିତ କରାଯିବ । ଏବଂ ସେଠାରୁ ଆରୋପୀଙ୍କୁ ଜେଲକୁ ପଠାଯିବ । ଏହି ପ୍ରକ୍ରିୟା ଚଳିତମାସ ଠାରୁ ଆରମ୍ଭ ହେବ । ଏହା ଛଡା ସମସ୍ତ ପ୍ରମୁଖ ଟ୍ରେନ ଗୁଡିକରେ ରେଳବାଇ ପକ୍ଷରୁ ଷ୍ଟାଫ୍ ନିଯୁକ୍ତ କରାଯିବ । ସିଗନାଲ କିମ୍ବା ଅନ୍ୟ କୌଣସି ସମସ୍ୟା ଆସିଲେ ସଙ୍ଗେ ସଙ୍ଗେ ଏହାର ସମାଧାନ କରାଯିବ ।