ବଦଳିଯିବ ସିବିଏସଇ ପ୍ରଶ୍ନ ପତ୍ର ଢାଞ୍ଚା । ୨୦୨୦ ବର୍ଷ ଠାରୁ କେମିତି ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜାଣନ୍ତୁ

61

ବଦଳିଯିବ ସିବିଏସଇ ପ୍ରଶ୍ନପତ୍ର ଢ଼ାଞ୍ଚା । ସୂଚନା ମୁତାବକ ୨୦୨୦ ବର୍ଷ ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତ୍ତନ କରିବାକୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏଜୁକେସନ୍ ଯୋଜନା କରୁଛି। ଫେବୃଆରୀ ସୁଦ୍ଧା ଧନ୍ଦାମୂଳକ ବିଷୟର ପରୀକ୍ଷା ଶେଷ କରିବା ଏବଂ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ କରିବାକୁ ମଧ୍ୟ ସିବିଏସ୍ଇ ଚାହୁଁଛି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ନୂତନ ପରୀକ୍ଷା ପଦ୍ଧତି ଛାତ୍ରଛାତ୍ରୀମାନଙ୍କର ବିଶ୍ଳେଷଣାତ୍ମକ ଦକ୍ଷତାର ପରୀକ୍ଷା ନେବା ସହ ପିଲାଙ୍କୁ ଅଧିକ ଜ୍ଞାନୀ କରିବ । ବିଶେଷ କରି ପିଲାମାନେ ଯେଉଁ ଘୋଷିବାକୁ ପସନ୍ଦ କରନ୍ତି ତାହାକୁ ହ୍ରାସ କରାଯାଇ ପାରିବ ।

ସୂଚନା ମୁତାବକ ଆସନ୍ତା ୨୦୨୦ ବର୍ଷ ଠାରୁ ସିବିଏସଇ ପରୀକ୍ଷାରେ ସମସ୍ୟା-ସମାଧାନ ମୂଳକ ପ୍ରଶ୍ନ ଅଧିକ ଆସିବ। ୧ ରୁ ୫ ମାର୍କ ମଧ୍ୟରେ ଅଧିକ ସଂକ୍ଷିପ୍ତ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀମାନଙ୍କର ଜଟିଳ ଚିନ୍ତନ ଦକ୍ଷତା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ପାଠ ଘୋଷି ଅଧିକ ନମ୍ବର ରଖିବା ଠାରୁ ଶିକ୍ଷାର ପ୍ରକୃତ ଫଳାଫଳ ଏହି ପରୀକ୍ଷାରୁ ଜଣାପଡ଼ିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନୁମୋଦନ ନିମନ୍ତେ ବୋର୍ଡ ମନ୍ତ୍ରଣାଳୟକୁ ସିବିଏସ୍ଇ ବାଇଲଲଜ୍ ମଧ୍ୟ ଦାଖଲ କରିଛି। ‘ବାଇଲ’ ଅନୁସାରେ ପ୍ରତିଷ୍ଠାନର ଶିକ୍ଷାଦାନ ମାନକୁ ଭିତ୍ତି କରି ନବୀକରଣ ପାଇଁ ଅନୁମତି ମିଳିବ।

ସେହିପରି ସ୍କୁଲର ଭିତ୍ତିଭୂମି ଯାଞ୍ଚ କରାଇବାକୁ ବୋର୍ଡ ଅନୁମୋଦିତ କର୍ତ୍ତୃପକ୍ଷ, ଅର୍ଥାତ୍ ସମ୍ପୃକ୍ତ ରାଜ୍ୟ ଶିକ୍ଷା ବିଭାଗ ଉପରେ ନିର୍ଭର କରିବେ। ପ୍ରସ୍ତାବ ବାସ୍ତବ ରୂପ ନେବା ପାଇଁ ଆଉ ତିନି ଚାରି ମାସ ଲାଗିବ। କିନ୍ତୁ, ୨୦୨୦ ଠାରୁ ପ୍ରଶ୍ନପତ୍ର ଢାଞ୍ଚା ପରିବର୍ତ୍ତନ ଲାଗି ବୋର୍ଡ ତା’ର କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି । ଏହାଦ୍ୱାରା ତ୍ରୁଟି ପୂର୍ଣ୍ଣ ଖାତା ମୂଲ୍ୟାୟନ ସହ ଅଧିକ ସମୟ ଓ ଶୀଘ୍ର ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ । ତେବେ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ମଧ୍ୟ ଯୋଜନା କରୁଛି ବୋର୍ଡ ।