ମେଡିକାଲ କଲେଜ ଦୁର୍ନୀତି ମାମଲା ! ୬ ଅଭିଯୁକ୍ତଙ୍କୁ ଜେରା, ପଦାକୁ ଆସିବ ଧଳାହାତୀଙ୍କ ନାଁ

105

କନକ ବ୍ୟୁରୋ: ମେଡ଼ିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆଇ ଏମ କୁଦ୍ଦୁସିଙ୍କ ସମେତ ୬ ଅଭିଯୁକ୍ତଙ୍କୁ ସିବିଆଇର ଜେରା ଗତକାଲି ତୃତୀୟ ଦିନରେ ପହଞ୍ଚିଛି । ଏମସିଆଇ (ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆ) ପକ୍ଷରୁ ନାମଲେଖା ଅନୁମତି ପାଇନଥିବା ଲକ୍ଷ୍ନୌର ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ସପକ୍ଷରେ ସୁପ୍ରିମକୋର୍ଟର ରାୟ ଆଣିବା ଲାଗି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ କୁଦ୍ଦୁସି ଓ ଅନ୍ୟ ୫ ଜଣଙ୍କ ନାଁରେ ସିବିଆଇ ଫୌଜଦାରୀ ଷଡ଼ଯନ୍ତ୍ର ଓ ଦୁର୍ନୀତି ଅଭିଯୋଗ ମାମଲା ରୁଜୁ କରିଛି । ଦୀର୍ଘ ସମୟ ଜେରା ପରେ ସିବିଆଇକୁ କେଉଁସବୁ ତଥ୍ୟ ହାସଲ ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରଭାବଶାଳୀ ପ୍ରଶାସକ ଓ ନେତାଙ୍କ ସଂପୃକ୍ତି ନେଇ ଖୁଲାସା ହୋଇପାରେ ବୋଲି କୁହାଯାଉଛି ।

ସୂତ୍ର ଅନୁସାରେ, ମେଡିକାଲ କଲେଜ ଦୁର୍ନୀତିର ଯାଞ୍ଚ ମାମଲାକୁ ସିବିଆଇ ଆହୁରି ବ୍ୟାପକ କରିବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟଙ୍କ ରୋକ୍ ସତ୍ତ୍ୱେ ଘରୋଇ ମେଡିକାଲ କଲେଜମାନଙ୍କରେ ଏମବିବିଏସ ପାଠ୍ୟକ୍ରମରେ ଦାଖିଲା ଦିଆଯାଇଥିବା ଦୁର୍ନୀତି ସମ୍ବନ୍ଧିତ ଦସ୍ତାବିଜ ସିବିଆଇକୁ ମିଳିଛି । ସିବିଆଇ ରାଡାରରେ ଏବେ ୧୨ଟି ଘରୋଇ ମେଡିକାଲ କଲେଜ ଥିବା ଜଣାଯାଇଛି । ଏସବୁ ଘରୋଇ ମେଡିକାଲ କଲେଜର ଦୁର୍ନୀତି ସମ୍ପର୍କିତ ଯାଞ୍ଚ ସିବିଆଇ ଖୁବ୍ ଶୀଘ୍ର କରିବ ଏବଂ ଏଭଳି ସମ୍ଭାବନାକୁ ଆଦୌ ଏଡ଼ାଇ ଦିଆଯାଇପାରିବନି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏଥିରେ ଅନେକ ଧଳାହାତୀଙ୍କ ନାମ ପଦାକୁ ଆସିବ ବୋଲି ସିବିଆଇ ଦାବି କରୁଛି ।

ଅଭିଯୁକ୍ତମାନଙ୍କଠାରୁ ଜବତ କରାଯାଇଥିବା ତଥ୍ୟ ଏବଂ କଲ୍ ରେକର୍ଡରୁ ପ୍ରଶାସକ ଓ ନେତାଙ୍କ ନାମ ଆସିପାରେ ବୋଲି ସିବିଆଇ ଦୃଢୋକ୍ତି ପ୍ରକାଶ କରୁଥିବା କୁହାଯାଉଛି । ଦିଲ୍ଲୀର ଚାନ୍ଦିନୀଚୌକ ମେଡିକାଲ କଲେଜ ଦୁର୍ନୀତିର ମୁଖ୍ୟକେନ୍ଦ୍ର ପାଲଟି ଯାଇଥିବା କୁହାଯାଉଛି । ବଡ଼ ଧରଣର ଅର୍ଥ ହସ୍ତାନ୍ତର କରିବା ପାଇଁ ଚାନ୍ଦିନୀଚୌକରେ ମିଟିଂ ଡ଼କାଯାଇଥିଲା, ଯାହାର ଖୁଲାସା କଲ୍ ରେକର୍ଡରୁ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତିନିଦିନ ତଳେ ଏମସିଆଇ ଦୁର୍ନୀତିର ଦ୍ୱିତୀୟ ମାମଲାରେ ସେନାର ଜଣେ ବରିଷ୍ଠ ଅଧିକାରୀ କର୍ଣ୍ଣେଲ ଅଜୟ କୁମାର ସିଂହଙ୍କ ସମେତ ୪ଜଣଙ୍କୁ ଚାନ୍ଦିନୀ ଚୌକରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ପୁଲିସ ଗିରଫ କରିଥିଲା । ଏମାନେ ମେଡିକାଲ କଲେଜ ସମ୍ପର୍କିତ ପ୍ରମୁଖ ସୂଚନା ଲିକ୍ କରୁଥିଲେ ବୋଲି ପୁଲିସ ଅଭିଯୋଗ କରିଥିଲା । ତେଣୁ ସିବିଆଇ ମେଡିକାଲ କଲେଜ ଦୁର୍ନୀତି ମାମଲାର ଯାଞ୍ଚ ପରିଧିକୁ ବ୍ୟାପକ କରିବ ବୋଲି ଅନୁମାନ କରାଯାଉଛି ।

ଏବେ ଆସନ୍ତୁ ଜାଣିବା କୁଦ୍ଦୁସିଙ୍କ ନାଁରେ କଣ ଅଭିଯୋଗ ରହିଛି –

ଉତ୍ତରପ୍ରଦେଶର ମେଡିକାଲ ଦୁର୍ନୀତି ମାମଲାରେ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ କୁଦ୍ଦୁସିଙ୍କ ନାଁ ଆସିଛି । ୟୁପିର ପ୍ରସାଦ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ମାମଲାକୁ ସୁପ୍ରିମକୋର୍ଟରେ ରଫାଦଫା କରିବାକୁ କୁଦ୍ଦସି ଲାଂଚ ନେଇଥିବା ଅଭିଯୋଗ ରହିଛି । ଏପରିକି ଜଣେ ବ୍ୟକ୍ତିଙ୍କ ପାଖରୁ ଏକ କୋଟିଟଙ୍କା ଜବତ କରିଥିଲା ସିବିଆଇ । ଭିତ୍ତିଭୂମି ଅଭାବ ଓ ଅନ୍ୟ କାରଣରୁ ଏହି ମେଡିକାଲର ଲାଇସେନ୍ସକୁ ରଦ୍ଦ କରାଯାଇଥିଲା । ମାମଲାରେ ମଙ୍ଗଳବାରଦିନ କୁଦ୍ଦସିଙ୍କ ଦିଲ୍ଲୀ ଘର ସହ ୫ ଜଣ ଅନ୍ୟ ଅଭିୟୁକ୍ତ ଘରେ ଏହି ରେଡ ହୋଇଥିଲା । ଦିଲ୍ଲୀ, ଓଡିଶା ଓ ୟୁପିରେ ଏହି ରେଡ ହୋଇଥିଲା । ଏପରିକି ଦୁର୍ନୀତି ନିବାରଣ ଆଇନ ବଳରେ କୁଦ୍ଦୁସିଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା । ଆଇପିସିର ଧାରା ୧୨୦ ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର ମାମଲାରେ ଜଷ୍ଟିସ କୁଦ୍ଦୁସିଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ।