ହାଇକୋର୍ଟର ବଡ଼ ନିଷ୍ପତି ! ଜେଲରେ ଖୋଲିବ କ୍ୟାମ୍ପ କୋର୍ଟ, ଅଭିଯୁକ୍ତଙ୍କ ଜାମିନ ଆବେଦନର ହେବ ଶୁଣାଣି ।

125

କନକ ବ୍ୟୁରୋ : ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ରାଜ୍ୟର ବିଭିନ୍ନ ଉପକାରାଗାରରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ଆଜି ହାଇକୋର୍ଟ ଏକ ବଡ ନିଷ୍ପତି ଶୁଣାଇଛନ୍ତି । ଜେଲରେ ହେବ ବିଚାର । ଜେଲ ପରିସରରେ କ୍ୟାମ୍ପ କୋର୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜେଲରେ ବିଚାରଧିନ କଏଦୀଙ୍କ ସଂଖ୍ୟା ବଢୁଥିବାରୁ କେତେକ ମାମଲାର ବିଚାର ପାଇଁ କ୍ୟାମ୍ପ କୋର୍ଟ ଖୋଲିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଦୌରାଜଜଙ୍କୁ ନିର୍ଦେଶ ଦିଆଯାଇଛି । ଏହି କ୍ୟାମ୍ପ କୋର୍ଟରେ କେବଳ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଶାଣୀ କରାଯିବ ।

ବିଚାରାଧିନ କଏଦୀଙ୍କ ଜାମିନ ଆବେଦନ ଉପରେ ଆଇନଗତ ପଦକ୍ଷେପ ନିଆଯିବ । ଏଥିପାଇଁ ଜେଲରେ ଥିବା ଅନ୍ତେବାସୀଙ୍କୁ ସଚେତନ କରାଇବାକୁ କହିଛନ୍ତି ହାଇକୋର୍ଟ । ଅନ୍ତେବାସୀ କିଭଳି ସଚେତନ ହେବେ ସେ ଦାୟିତ୍ୱ ଜେଲ କର୍ତ୍ତୃପକ୍ଷଙ୍କ ଉପରେ ନ୍ୟସ୍ତ କରିଛନ୍ତି ହାଇକୋର୍ଟ । ପୁଲିସର ମାଡ ପ୍ରତିବାଦରେ ୨ ମାସ ହେବ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ବିଚାର ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି । ଫଳରେ ବିଭିନ୍ନ ଜେଲରେ କ୍ଷମତା ଠାରୁ ଅଧିକ ସଂଖ୍ୟକ ବିଚାରାଧିନ କଏଦୀ ରହିଛନ୍ତି । ତେଣୁ ଜେଲ୍ କର୍ତ୍ତୃପକ୍ଷ, ଜେଲର ସୁରକ୍ଷା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ଆଜି ଏଭଳି ଏକ ନିଷ୍ପତି ଶୁଣାଇଛନ୍ତି କୋର୍ଟ ।