ଟ୍ରେନ ତଳେ ଗଳି ଲାଇନ ପାର ବେଳେ ଚାଲିଲା ରେଳ ! ସାଙ୍ଗକୁ ଭିଡି ଆଣିଲେ ୯ବର୍ଷର ଶ୍ରୀମତି ବଦ୍ରା,ପାଦ କଟିଗଲା ହେଲେ ବଂଚିଗଲେ ପ୍ରମିଳା

ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ ଚକ ତଳୁ ବଂଚିଗଲା ସାଙ୍ଗ

395

କନକ ବ୍ୟୁରୋ : ନାବାଳିକାର ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ ଚକ ତଳୁ ବଂଚିଗଲା ସାଙ୍ଗ । ଏହି ଘଟଣା ଘଟିଛି ତାଲଚେରରେ । ସ୍କୁଲରୁ ଫେରିବା ବେଳେ ଛିଡା ହୋଇଥିବା ମାଲବାହୀ ଟ୍ରେନ ତଳେ ଗଳି ରେଳ ଲାଇନ ପାର ହେଉଥିଲେ ଦୁଇ ଛାତ୍ରୀ । ହେଲେ ହଠାତ ଟ୍ରେନ ଚାଲିବା ଆରମ୍ଭ କରିଥିଲା । ଜଣେ ସାଙ୍ଗ ଟ୍ରେନ ଚକ ତଳେ ଧକ୍କା ଖାଇ ଖସି ପଡିଥିଲେ । ଅନ୍ୟଜଣଙ୍କ ତୁରନ୍ତ ତାଙ୍କର ହାତ ଧରି ଟାଣି ଆଣିଥିଲେ । ତେବେ ଡାହାଣ ପାଦଟି କିନ୍ତୁ ଟ୍ରେନ ଚକ ତଳେ କଟି ଯାଇଥିଲା । ହେଲେ ଅଳ୍ପକେ ବଂଚିଯାଇଥିଲା ଜୀବନ ।

ଦୁର୍ଘଟଣାର ଶିକାର ହୋଇଥିବା ନାବାଳିକାରଙ୍କ ନାମ ପ୍ରମିଳା ମୁଣ୍ଡା(୧୧ ବର୍ଷ) । ଏବଂ ନିଜ ବୁଦ୍ଧି ଖଟାଇ ଜୀବନ ସାଙ୍ଗର ଜୀବନ ବଂଚାଇଥିବା ନାବାଳିକା ନାମ ଶ୍ରୀମତି ବଦ୍ରା । ସେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି । ତେବେ କେବଳ ଯେ ଶ୍ରୀମତି ସାଙ୍ଗର ଜୀବନ ବଂଚାଇଥିଲେ, ତା’ନୁହେଁ କାନ୍ଧରେ ବସ୍ତି ପାଖକୁ ନେଇଯାଇଥିଲେ । ଆଉ ବସ୍ତି ଲୋକେ ତୁରନ୍ତ ପ୍ରମିଳାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଘଟଣା ତାଳଚେର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସାହସ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ୯ବର୍ଷର ବାଳିକା ଶ୍ରୀମତି ବଦ୍ରା । ତାଙ୍କ ସାଙ୍ଗ ପ୍ରମିଳା ମୁଣ୍ଡାଙ୍କ ଜୀବନ ବଂଚାଇବାରେ ସକ୍ଷମ ହୋଇଛନ୍ତି ଶ୍ରୀମତି ବଦ୍ରା ।

ସୂଚନାଯୋଗ୍ୟ ଗତ ୬ ତାରିଖରେ ଘଟିଛି ଏହି ଦୁର୍ଘଟଣା । ତାଳଚେର ଘଂଟପଡ଼ା ଅଂଚଳର ଟେରାମୁଣ୍ଡା ବସ୍ତି ଦୁଇ ନାବାଳିକା ପ୍ରତିଦିନ ସ୍କୁଲ ଯିବାଆସିବା କରନ୍ତି । ସବୁ ଦିନ ପରି ସେଦିନ ମଧ୍ୟ ଛୁଟି ହେବା ପରେ ଦୁଇ ସାଙ୍ଗ ଘରକୁ ଫେରୁଥିଲେ । ଆଉ ସେହି ସମୟରେ ଘଟିଥିଲା ଘଟଣା । ଆଉ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଶ୍ରୀମତିଙ୍କ ପାଇଁ ବୋଲି ବଂଚିଯାଇଛି ପ୍ରମିଳାଙ୍କ ଜୀବନ ।