ୟୁରୋପ ଓ ଦକ୍ଷିଣ ଆଫ୍ରିକାରେ କରୋନା ବଢିଲା, ଭାରତୀୟ ସେୟାର ବଜାରରେ ଚଡ଼କ ପଡିଲା । ଦିନକରେ ନିବେଶକ ହରାଇଲେ ପ୍ରାୟ ସାଢେ ୭ ଲକ୍ଷ କୋଟି । 

363

କନକ ବ୍ୟୁରୋ : ସେୟାର ବଜାର ପାଇଁ କଳାଦିନ । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାର ପ୍ରଭାବ ବିଶ୍ୱ ବଜାରରେ ପଡ଼ିଛି । ଦୁଇ ସପ୍ତାହ ହେବ ତଳକୁ ତଳ ଖସୁଛି ସେୟାର ବଜାର । ଗତ ସାତ ମାସ ପରେ ଆଜି ସବୁଠୁ ଅଧିକ କ୍ଷତି ହୋଇଛି । ଗୋଟିଏ ଦିନରେ ପ୍ରାୟ ସାଢ଼େ ୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ ।

ବଢିଲା କରୋନା, ଖସିଲା ବଜାର!

ସାତ ମାସ ପରେ ସବୁଠୁ ଅଧିକ କ୍ଷତି ସହିଲେ ନିବେଶକ

ଚଳିତ ସପ୍ତାହର ଶେଷ ଦିନରେ ଭାରତୀୟ ସେୟାର ବଜାର ଏମିତି ଝଟକା ଦେଇଛି, ଗୋଟିଏ ଦିନରେ ପ୍ରାୟ ସାଢ଼େ ୭ ଲକ୍ଷ କୋଟି ହରାଇଛନ୍ତି ନିବେଶକ ।  ସାତ ମାସ ପରେ ସେୟାର ବଜାରରେ ଏପରି ହ୍ରାସ ଘଟିଛି । ସେନସେକ୍ସ ୨.୮୭ ପ୍ରତିଶତ ଖସି ୫୭,୧୦୭.୧୫ରେ ବନ୍ଦ ହୋଇଛି । ସେହିପରି ନିଫଟି ୨.୯୧ ପ୍ରତିଶତ ଖସି ୧୭,୦୨୬.୪୫ରେ ବଜାର ବନ୍ଦ ହୋଇଛି । ହଠାତ୍ ଏପରି ସ୍ଥିତି ପାଇଁ ବିଦେଶରେ ବଢୁଥିବା କରୋନା ସଂକ୍ରମଣ ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିଛି । ନଜର ପକାନ୍ତୁ,

କାହିଁକି ଖସୁଛି ସେୟାର ବଜାର?

– ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ପ୍ରଜାତି ଚିହ୍ନଟ

– ୟୁରୋପରେ କରୋନା ସଂକ୍ରମଣ ବୃଦ୍ଧି

– ବିଶ୍ୱର ବିଭିନ୍ନ ଦେଶରେ କଟକଣା କଡାକଡି

– ପୁଣି ସୃଷ୍ଟି ହୋଇଛି ଲକଡାଉନ ଭଳି ସ୍ଥିତି

– ବିଦେଶୀ ନିବେଶକଙ୍କ ସେୟାର ବିକ୍ରି

ଭାରତୀୟ ସେୟାର ବଜାରରେ ଦୁଇ ସପ୍ତାହ ହେବ ସେୟାର ବଜାର ଖସୁଥିବାର ଦେଖିବାକୁ ମିଳୁଥିଲା । ହେଲେ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଭୟ ବଢିବାରେ ଲାଗିଛି ।  ଅନେକ ୟୁରୋପୀୟ ଦେଶରେ କରୋନା ମାମଲା ବଢୁଥିବାରୁ ଲକଡାଉନ୍ ଘୋଷଣା କରିଛନ୍ତି । ଆଗକୁ ଅଧିକ କ୍ଷତି ହୋଇପାରେ ଆଶଙ୍କା କରି ନିବେଶକ ମାନେ ସେୟାର ବିକ୍ରି କରି ଦେଉଥିବା ଜଣାପଡିଛି । ଆଗକୁ ମଧ୍ୟ ସେୟାର ବଜାରରେ ଏପରି ସ୍ଥିତି ରହିପାରେ  ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଏପରି ସ୍ଥିତିରେ ଆଇଟି କମ୍ପାନୀରେ ନିବେଶ ଭଲ  ରିଟର୍ନ ଦେଇପାରେ ବୋଲି କୁହାଯାଉଛି ।