ଅଣ୍ଡାମାଡ, ଆକ୍ରମଣ ପରେ ସୁରକ୍ଷା ମାଗିଲେ ଅପରାଜିତା । କହିଲେ ଟିଏମସି ରାସ୍ତାରେ ରାଜ୍ୟ ସରକାର ।

309

କନକ ବ୍ୟୁରୋ: ପରସ୍ପରକୁ କଡା ଟକ୍କର ଦେଉଥିବା ଦୁଇଟି ରାଜନୈତିକ ଦଳ ଭିତରେ କଥା କଟାକଟି ଓ ଠେଲାପେଲା ଭଳି ଦୃଶ୍ୟ ଅନେକଥର ଦେଖିବାକୁ ମିଳିଛି । ହେଲେ ଗତକାଲି ଭୁବନେଶ୍ୱର ଆଚାର୍ଯ୍ୟବିହାର ଅଞ୍ଚଳରେ ବିଜେପି ସାଂସଦ ଗୋଟିଏ ଘର ଭିତରେ ଅଟକ ହୋଇ ରହିବା ଏବଂ ବାହାରେ ସମର୍ଥକ ଓ ପ୍ରତିପକ୍ଷଙ୍କ ଭିତରେ ଖଣ୍ଡଯୁଦ୍ଧ ଲାଗିରହିବା ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଥିଲା । ଆଚାର୍ଯ୍ୟ ବିହାର ଅଂଚଳରେ ବରିଷ୍ଠ ନାଗରିକମାନଙ୍କ ଏକ ସଭା ଥିଲା । ଏଥିରେ ଯୋଗଦେବା ପାଇଁ ପହାଞ୍ଚିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ହେଲେ ବିଜେଡିର କିଛି ମହିଳାକର୍ମୀ ସେଠାରେ ପହଞ୍ଚି ଗତ ଅଢେଇ ବର୍ଷରେ ରାଜଧାନୀ ଓ ବିଶେଷକରି ଆଚାର୍ଯ୍ୟବିହାର ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେଠାରେ ଉପସ୍ଥିତ ଥିବା ବିଜେପି କର୍ମୀମାନେ ଏହାର ପ୍ରତିବାଦ କରିବା ସହ ଠେଲାପେଲା କରିବାରୁ ଆରମ୍ଭ ହୋଇଗଲା ଧସ୍ତାଧସ୍ତି ।

ଅପ୍ରିତିକର ପରିସ୍ଥିତିକୁ ଦେଖି ବିଜେପି କର୍ମୀମାନେ ସାଂସଦ ଅପରାଜିତାଙ୍କୁ ଜଣଙ୍କ ଘରକୁ ନେଇ ଯାଇଥିଲେ । ଘର ଭିତରେ ଥିଲେ ସାଂସଦ ଆଉ ବାହାରେ ନାରାବାଜି କରୁଥିଲେ ବିଜେଡି କର୍ମୀ । ବିଜେପି କର୍ମୀ ମଧ୍ୟ ପଲଟା ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଆରମ୍ଭ କରିଦେଲେ । ଆରମ୍ଭ ହୋଇଗଲା ପରସ୍ପର ଉପରକୁ ଅଣ୍ଡା ଓ ଟେକାମାଡ ।

ପ୍ରବଳ ଉତ୍ତେଜନା କାରଣରୁ ପ୍ରାୟ ୩ ଘଣ୍ଟା ଧରି ଅଟକ ରହିଥିଲେ ବିଜେପି ସାଂସଦ । ପୋଲିସ ସୁରକ୍ଷା ବଳୟରେ ତାଙ୍କୁ ସେଠାରୁ ନିଆଯାଇଥିଲା । ସେପଟେ ପରସ୍ପରକୁ ଆକ୍ରମଣ ଅଭିଯୋଗରେ ଉଭୟ ବିଜେପି ଓ ବିଜେଡି ଥାନାରେ ଏତଲା ଦେଇଛନ୍ତି । ଗତ ରାତିର ଏହି ହାଇଡ୍ରାମା ଆଜି ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣର ରୂପ ନେଇଛି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ରାଜନୈତିକ ହିଂସାରୁ ସୁରକ୍ଷା ମାଗିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏପରିକି ପଶ୍ଚିମବଙ୍ଗରେ ଟିଏମସି ପଥରେ ରାଜ୍ୟ ସରକାର ଗତି କରୁଥିବା ସେ ଅଭିଯୋଗ ବାଢିଛନ୍ତି । ଟାର୍ଗେଟ କରିଥିବା ଲୋକଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନକଲେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ସାଂସଦ ।

ପ୍ରତିହିଂସା ପରାୟଣ ହୋଇ ଜଣେ ମହିଳା ସାଂସଦଙ୍କ ଉପରେ ଆକ୍ରମଣ କରାଗଲା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । ଆଉ ବିଜେଡି ନେତା ମଧ୍ୟ ନିଜ ଢଙ୍ଗରେ ପୂରା ଘଣଟାକୁ ବର୍ଣ୍ଣନା କରିଛନ୍ତି । ବିଜେଡିର କହିବା ହେଲା କିଛି ଲୋକ ସାଂସଦଙ୍କୁ ତାଙ୍କ ଦୁଃଖ ଜଣାଇବାକୁ ଗଲାବେଳେ ସେମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଛି । ସେହିପରି ସାଂସଦ ସାଙ୍ଗରେ ଗୁଣ୍ଡା ବାହିନୀ ଧରି ବୁଲୁଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ଅନନ୍ତ ନାରାୟଣ ଜେନା । ଓଡିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଅପରାଜିତା ଚେଷ୍ଟା କରୁଥିବା ସେ ଆକ୍ଷେପ କରିଛନ୍ତି ।

ମମିତା ହତ୍ୟା ମାମଲା ପରେ ସରକାରଙ୍କୁ ଘେରିବା ପାଇଁ ବେସ୍ ସକ୍ରିୟ ହୋଇପଡିଛି ବିରୋଧୀ ବିଜେପି । ମନ୍ତ୍ରୀମାନଙ୍କ ଉପରକୁ ପଡୁଛି ପ୍ରତିବାଦର ଅଣ୍ଡା । ତେବେ ବିଜେଡି ମଧ୍ୟ ସେହି ଅଣ୍ଡାମାଡର ଧାରାକୁ ଆପଣେଇ ନେଲାଣି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହି ରାଜନୈତିକ ପ୍ରତିଦ୍ୱନ୍ଦିତା ଆହୁରି ତୀବ୍ର ହେବ ବୋଲି ସଂକେତ ମିଳୁଛି । ନେତାଙ୍କ ଇସାରାରେ କର୍ମୀ ମୁହାମୁହିଁ ସ୍ଥିତିରେ ଅଛନ୍ତି ।