ବିଜେପି ବନାମ ବିଜେପି ! ମହାନଦୀ ମନ୍ତବ୍ୟ ପରେ ବିଜୟଙ୍କୁ ସତର୍କ କରାଇଲା ଦଳ, ସେପଟେ ବିଜୟଙ୍କ କଥାକୁ ବିଜେଡିର ସମର୍ଥନ

33

କନକ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଉପରେ ବିଜୟ ବର୍ଷିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ବିଜୟ ଅବାନ୍ତର କଥା କହୁଛନ୍ତି । ଏଭଳି ଅବାନ୍ତର କଥା କହିବାରୁ ନିବୃତ ରୁହନ୍ତୁ ବିଜୟ । କେନ୍ଦ୍ରକୁ ଦୋଷ ଦେବା ବନ୍ଦ୍ କରନ୍ତୁ । ଦଳ ଏହାକୁ ଗୁରୁତର ସହ ନେଇଛି । ଉପଯୁକ୍ତ ଫୋରମରେ ଏହି ପ୍ରସଙ୍ଗ ଉଠାଯିବ । ଏବଂ ବିଜୟଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ଏହା ସହିତ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗରେ ପୃଥ୍ୱୀରାଜ କହିଛନ୍ତି ରାଜ୍ୟ ସରକାର ଉପଯୁକ୍ତ ତଥ୍ୟ ଦେଇ ପାରିନାହାଁନ୍ତି ।

ଅନ୍ୟପଟେ ବିଜୟଙ୍କ କଥାକୁ ସମର୍ଥନ କରିଛି ବିଜେଡି । ବିଜେପି ସାଂସଦ ପ୍ରତାପ ଦେବ କହିଛନ୍ତି ବିଜୟଙ୍କ ବୟାନରେ ରହିଛି ସତ୍ୟତା । ଯଦି ସେ ଡ୍ରାମା କରୁଛନ୍ତିି ତାହେଲେ ତାଙ୍କୁ ଦଳରେ ରଖିଛନ୍ତି କାହିଁକି ।

ସେପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡିଶାକୁ ସମର୍ଥନ କରିଛି ସିପିଆଇ । ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଦଳର ଜାତୀୟ ନେତା ଡି.ରାଜା । ସେ କହିଛନ୍ତି, ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓଡିଶାକୁ ଅବହେଳା କରିଛି । ଛତିଶଗଡକୁ ସୁହାଇଲା ଭଳି କାମ କରିଛି କେନ୍ଦ୍ର । ମହାନଦୀ ଓଡିଶାର ଜୀବନରେଖା । ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଚୁପ ବୋଲି ଡି. ରାଜା ପ୍ରଶ୍ନ କରିଛନ୍ତି ।

ତେବେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି କେନ୍ଦ୍ର ଉପରେ ବର୍ଷଥିଲେ ବିଜୟ ମହାପାତ୍ର । କହିଥିଲେ, ଛତିଶଗଡକୁ ସମର୍ଥନ କରି ଓ ଟ୍ରିବ୍ୟୁନାଲ ଗଠନ ନ କରି ଓଡିଶା ପ୍ରତି କେନ୍ଦ୍ର ଅଣଦେଖା କରୁଛି । ଏହା ସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ଉପରେ ବି ପ୍ରଶ୍ନ ଉଠାଇଥିଲେ ବିଜୟ । ଏ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ଉପରେ ବର୍ଷିଥିଲେ । ସେ କହିଥିଲେ, ଛତିଶଗଡକୁ କେନ୍ଦ୍ର ଅହେତୁକ ଅନୁକମ୍ପା ଦେଖାଉଛି । ସତ୍ୟପାଠରେ ଏକପାଖିଆ ନିଷ୍ପତିକୁ ଦର୍ଶାଇଛି ଜଳସମ୍ପଦ ମନ୍ତ୍ରଣାଳୟ । ଗତ ସପ୍ତାହରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଛତିଶଗଡ-ଓଡିଶା ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଥିଲେ । ଏଥିପାଇଁ ଓଡିଶା ଦୀର୍ଘଦିନ ହେଲା ଦାବି କରିଆସୁଥିଲା । ଟ୍ରିବ୍ୟୁନାଲ ଗଠନ ପାଇଁ ମନା କରିଦେବା ପରେ ଓଡିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସବୁଦଳ ଏହା ବିରୋଧରେ ଲଢେଇ କରିବାକୁ ନିଷ୍ପତି ନେଇଛନ୍ତି ।