ପରୀ ହତ୍ୟାକାରୀର ଭିଡିଓକୁ ନେଇ ଘନେଇଲା ବିଜେପି-ବିଜେଡି କଳି । ଲେଖାଶ୍ରୀଙ୍କ ଅଭିଯୋଗ, ଅପରାଧୀଙ୍କୁ ଖସାଇ ଦେବା ପାଇଁ କରାଯାଉଛି ପ୍ରୟାସ । ବିଜେଡିର ଜବାବ୍ ଆଇନ ଉପରେ କେହି ନାହାଁନ୍ତି ।

123

କନକ ବ୍ୟୁରୋ: ପରୀ ଅଭିଯୁକ୍ତର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ନଜର ଏବେ କୋର୍ଟଙ୍କ ଉପରେ । କାରଣ କୋର୍ଟ ଏହି ପ୍ରମାଣକୁ ଗ୍ରହଣ କରିବେ କି ନାହିଁ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ସେପଟେ ଭିଡିଓକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଆଉ ବିଜେଡି । ମାମଲାରେ ଏସଆଇଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି । ଏପରି ଭିଡିଓ ସାମ୍ନାକୁ ଆସିବା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛି ବିଜେପି । ଜବାବରେ ବିଜେଡି କହିଛି, ପରୀକୁ ନ୍ୟାୟ ନୁହଁ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରୁଛି ବିଜେପି । ପ୍ରମାଣ ଥିଲେ କୋର୍ଟଙ୍କ ଆଗରେ ରଖିବାକୁ ଦଳ ଆହ୍ୱାନ କରିଛି ।

ପରୀ ମାମଲାର ତଦନ୍ତକାରୀ ସଂସ୍ଥା ଏସଆଇଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିଜେପି ଅଭିଯୋଗ କରିଛି , ବିଧାନସଭା ଅଧିବେଶନ ଆରମ୍ଭ ହେବା ସମୟରେ ଏପରି ଭିଡିଓ ସାମ୍ନାକୁ ଆଣି କୋଟିଆ, ଧାନମଣ୍ଡି ପରି ବଡ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଉଦ୍ୟମ କରାଯାଉଛି । ଏପଟେ ବିଜେଡି ପାଲଟା ଦୋଷାରୋପ କରିଛି ଅଭିଯୁକ୍ତକୁ ଖସାଇବା ପାଇଁ ଉଦ୍ୟମ କରୁଛି ବିଜେପି  ଏବଂ ସେ ଅଭିଯୁକ୍ତ ନୁହଁ ବୋଲି କଣ ପ୍ରମାଣ ଅଛି ତାହା ଦର୍ଶାଇବାକୁ ଆହ୍ୱାନ କରିଛି ବିଜେଡି ।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି , କୋର୍ଟରେ ଗ୍ରହଣୀୟ ହେବ କି ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓ । ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୫ ଅନୁସାରେ ପୋଲିସ ଉପସ୍ଥିତିରେ କୌଣସି ଅଭିଯୁକ୍ତର ସ୍ୱୀକାରୋକ୍ତିକୁ କୋର୍ଟ ପ୍ରମାଣ ଭାବେ ଗ୍ରହଣ କରିନ୍ତି ନାହିଁ । ଯଦି ଏହା ପୋଲିସ ଉପସ୍ଥିତିରେ କିମ୍ବା ପୋଲିସ ଚାପରେ ହୋଇନାହିଁ ଏବଂ ଏହା କୋର୍ଟରେ ପ୍ରମାଣ ହୁଏ ତେବେ କୋର୍ଟ ଏହି ଭିଡିଓକୁ ପ୍ରମାଣ ଭାବେ ଗ୍ରହଣ ପାରନ୍ତି ବୋଲି ମତ ରଖିଛନ୍ତି ଆଇନ ବିଶାରଦ ।

ଭିଡିଓରେ ପରୀ ହତ୍ୟା ଅଭିଯୁକ୍ତ କହିଛି ସେ ପରୀକୁ ତଂଟି ଚିପି ହତ୍ୟା କରିଛି ଏବଂ ହତ୍ୟା ପରେ ଅଖାରେ ପୁରାଇ ନିଜେ ପୋଖରୀ କୂଳରେ ଫିଙ୍ଗି ଦେଇଛି  କିନ୍ତୁ ଦୁଷ୍କର୍ମ କରିନାହିଁ । ଏବେ ସମସ୍ତଙ୍କ ନଜର ଏସଆଇଟିିର ଏହି ଭିଡିଓ କ୍ଲିପକୁ କୋର୍ଟ ଗ୍ରହଣ କରିବେ ନା ନାହିଁ ।