କଟକ ଡାକ୍ତରଙ୍କ ବ୍ୟାଙ୍କ୍ ଖାତାରୁ ୭୭ ଲକ୍ଷ ଗାଏବ୍ ହେବା ଘଟଣା । ଲୁଟ୍ ପଛରେ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ।

1,127

କନକ ବ୍ୟୁରୋ: କଟକର ଡାକ୍ତର ସନାତନ ମହାନ୍ତିଙ୍କ ବ୍ୟାଙ୍କ ଆକାଉଂଟରୁ ୭୭ ଲକ୍ଷ ଟଙ୍କା ଲୁଟ କିପରି ହେଲା ସେନେଇ କ୍ରାଇମବ୍ରାଂଚ ତନାଘନା କରୁଥିବା ବେଳେ ଲୁଟ ପଛରେ ଝାଡଖଣ୍ଡ ଜମତରା ସାଇବର ଅପରାଧୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ଡାକ୍ତରଙ୍କ ୬ଟି ଫିକ୍ସଡ ଡିପୋଜିଟକୁ ଭାଙ୍ଗି ସେଭିଙ୍ଗସ ଆକାଉଂଟକୁ ନେବା ପରେ ଏହି ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା ।

ବଡ କଥା ହେଲା ୪ଟି ରାଜ୍ୟରେ ଥିବା ୪ଟି ଭିନ୍ନ ଭିନ୍ନ ଆକାଉଂଟକୁ ଏହି ଟଙ୍କା ଟ୍ରାନସଫର ହୋଇଛି । ଆଇସିଆଇସିଆଇ ଆକାଉଂଟକୁ ଏହି ଟଙ୍କା ଚ୍ରାନସଫର ହୋଇଥିବା ଜଣାପଡିଛି । ତେଣୁ ଅନ୍ତରାଜ୍ୟ ସାଇବର ଲୁଟେରା ରାଜ୍ୟର ସବୁଠୁ ବଡ ଅନଲାଇନ ଠକେଇ ପଛରେ ଥିବା ସନ୍ଦେହ କରାଯାଉଛି ।

ସାଇବର ଲୁଟେରାମାନେ ନେଟ୍ ବ୍ୟାଙ୍କିଂ ଜରିଆରେ ସନାତନଙ୍କ ୬ଟି ଫିକ୍ସଡ ଡିପୋଜିଟ ଟଙ୍କା ମ୍ୟାଚୁରିଟି ପୂର୍ବରୁ ଉଠାଇ ନେଇଛନ୍ତି । ମାତ୍ର ଏକ ମିନିଟ ମଧ୍ୟରେ ଫିକ୍ସଡ ଡିପୋଜିଟ ବନ୍ଦ ହୋଇଛି ଏବଂ ଟଙ୍କା ପ୍ରଥମେ ସନାତନଙ୍କ ସେଭିଂ ଆକାଉଂଟକୁ ଆସିଛି । ପରେ ସାଇବର ଲୁଟେରା ଅନଲାଇନରେ ଖୋଲିଥିବା ସେଭିଂ ଆକାଉଂଟକୁ ସବୁ ଟଙ୍କା ଟ୍ରାନସଫର କରିନେଇଛନ୍ତି ।

ଡାକ୍ତର ସନାତନ ମହାନ୍ତିଙ୍କୁ ଲୁଟେରା କହିଥିଲେ ଏଟିଏମ କାର୍ଡ ଜରିଆରେ ମୋବାଇଲ ନମ୍ବରରେ ରିଚାର୍ଜ ନକଲେ ମୋବାଇଲ ନମ୍ବର ବ୍ଲକ ହୋଇଯିବ । ଠକର କହିବାନୁସାରେ ଏକ ଆପ ଡାଉନଲୋଡ କରିଥିଲେ ସନାତନ । ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ପର୍ଯ୍ୟାୟ କ୍ରମେ ଆକାଉଂଟରୁ ଖାଲି ହୋଇଯାଇଥିଲା ୭୭ଲକ୍ଷ ଟଙ୍କା । ଏପଟେ ଏହି ଘଟଣାରେ କ୍ରାଇମବ୍ରାଂଚ ଅଧିକାରୀ କହିଛନ୍ତି ଡାକ୍ତର ସନାତନ ମହାନ୍ତିଙ୍କ ଆକାଉଂଟରୁ ଟଙ୍କା ଲୁଟ ଘଟଣାରେ ତନାଘନା ଜାରି ରହିଛି ।