ନବୀନଙ୍କ ଚତୁର୍ଥ ପାଳିର ତୃତୀୟ ବର୍ଷ ପୂର୍ତି : ଆଜି ପ୍ରସ୍ତୁତି ବୈଠକ, ୩ ବର୍ଷର ସଫଳତା ବଖାଣିବେ ସୁପ୍ରିମୋ

25

କନକ ବ୍ୟୁରୋ : ବିଜେଡି ପାଳନ କରିବ ଚତୁର୍ଥ ପାଳିର ୩ ବର୍ଷ ପୂର୍ତି । ଏଥିପାଇଁ ଆଜି ବସିବ ପ୍ରସ୍ତୁତି ବୈଠକ । ଅପରାହ୍ନ ୩ଟା ୩୦ରେ ଇଡକଲ୍ ଅଡିଟରିୟମରେ ଏହି ସ୍ୱତନ୍ତ୍ର ବୈଠକ ଡକାଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସଭାପତିତ୍ୱ କରିବେ । ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ, ଦଳର ରାଜ୍ୟ କର୍ମକର୍ତା, ଜିଲ୍ଲା ସଭାପତି ଓ ଛାମୁଆ ସଂଗଠନର ସଭାପତିଙ୍କୁ ଯୋଗ ଦେବାକୁ କୁହାଯାଇଛି ।

ବୈଠକରେ ନିଜେ ନବୀନ ତାଙ୍କ ସରକାରର ତିନି ବର୍ଷର ସଫଳତା ବଖାଣିବେ । ଦଳର ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେବେ । ଏହି ବୈଠକ ପରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଯୋଜନା ରହିଛି । କେନ୍ଦ୍ର ବିରୋଧୀ ଆନ୍ଦୋଳନକୁ ଜାରି ରଖିବା ସହ ରାଜ୍ୟ ସରକାରଙ୍କ ସଫଳତା ପ୍ରଚାର କରିବେ ବିଜେଡି କର୍ମୀ । ବୁଥ୍ ସ୍ତରରେ ବିଜେପିର ଜନକଲ୍ୟାଣ ଓ ଜନସମ୍ପର୍କର ଯାତ୍ରାକୁ ଦୁର୍ବଳ କରିବା ପାଇଁ ବିଜେଡି ତା ରଣନୀତି ପ୍ରସ୍ତୁତି କରୁଛି । ଆଜିର ବୈଠକରେ ଏହାର ଚୂଡାନ୍ତ ଘୋଷଣା କରାଯିବା ସମ୍ଭାବନା ରହିଛି ।